ନୂଆଦିଲ୍ଲୀ ଗସ୍ତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଧାନ ସଂଗ୍ରହ, ଖାଦ୍ୟଶସ୍ୟ ପରିଚାଳନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ସହ ଉଚ୍ଚସ୍ତରୀୟ ଆଲୋଚନା
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୧/୦୮/୨୬: ଓଡ଼ିଶାର ଧାନ ସଂଗ୍ରହ ବ୍ୟବସ୍ଥା ଏବଂ ସାଧାରଣ ବଣ୍ଟନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ର ସରକାର ସହ ଆଲୋଚନା କରିଛନ୍ତି। ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ଅବସରରେ ସେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ରାଜ୍ୟ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା କରିଛନ୍ତି।
ସାକ୍ଷାତକାର ସମୟରେ ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶାରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଲିଥିବା ପ୍ରସ୍ତୁତି ଓ ପ୍ରକ୍ରିୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ସୁସଂଗଠିତ କରିବା, ଖାଦ୍ୟଶସ୍ୟର ସୁଚାରୁ ପରିଚାଳନା ଏବଂ ଗୋଦାମ ଭିତ୍ତିଭୂମିର ବିକାଶ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷତଃ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀଙ୍କ ନିକଟରେ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବା ଉପରେ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ର ଓ ରାଜ୍ୟର ସମନ୍ୱୟ ମାଧ୍ୟମରେ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ହିତାଧିକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଉଭୟ ପକ୍ଷର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା। ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଆଶ୍ୱାସନ ଦେଇଥିଲେ।
ଏହି ଆଲୋଚନା ସମୟରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସଚିବ ଶ୍ରୀ ସଂଜୀବ ଚୋପ୍ରା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସାରକଥା: ଧାନ ସଂଗ୍ରହଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ ପରିଚାଳନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ପର୍ଯ୍ୟନ୍ତ ଓଡ଼ିଶାର ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଏହି ଆଲୋଚନାରେ ପ୍ରାଧାନ୍ୟ ଦିଆଯାଇଛି।

