ଭୁବନେଶ୍ୱର, ନିରପେକ୍ଷ ଖବର, ତା:୨୬/୦୯ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଥିବା ବେଳେ କେତେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ଏଭଳି ପରିସ୍ଥିତିରେ ବିପର୍ଯ୍ୟୟ ମୁକାବିଲା ଓ ରିଲିଫ୍ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ସମଗ୍ର ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇ ତଳିଆ ଓ ଅସୁରକ୍ଷିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ସହ ଆବଶ୍ୟକତା ଅନୁସାରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ରାସ୍ତାଘାଟ ସଫା କରି ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା, ବିଜୁଳି ଓ ପାନୀୟ ଜଳ ଯୋଗାଣ ପୁନଃସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି।
ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ କରିବାକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିବା ସେ କହିଛନ୍ତି।
ଏହି ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ପ୍ରଶାସନ ଓ ସରକାରଙ୍କ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି। ବିଶେଷକରି ଜନସାଧାରଣ ଓ ପଶୁସମ୍ପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଖାଦ୍ୟ ବଣ୍ଟନ ଏବଂ ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇବାରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରଶାସନ, ଅଗ୍ନିଶମ ବିଭାଗ, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମଧ୍ୟ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।
ସେହିପରି ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ରିଲିଫ୍ ଓ ସହାୟତା କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି କଠିନ ପରିସ୍ଥିତିର ମୁକାବିଲା କଲେ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇ ହେବ ବୋଲି ସେ କହିଛନ୍ତି।

