ଭୁବନେଶ୍ୱର, ନିରପେକ୍ଷ ଖବର, ୨୭/୦୯: ଐତିହାସିକ ଖଣ୍ଡଗିରି-ଉଦୟଗିରି ଗୁମ୍ଫାର ଐତିହ୍ୟ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱକୁ ପର୍ଯ୍ୟଟକଙ୍କ ନିକଟରେ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି।
ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ITDC) ପକ୍ଷରୁ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ବିକଶିତ କରାଯାଇଛି। ଆଲୋକ, ଶବ୍ଦ, ଆଧୁନିକ ପ୍ରଯୁକ୍ତି ଓ କାହାଣୀ କଥନର ସମନ୍ୱୟରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ଐତିହାସିକ ପୃଷ୍ଠଭୂମି ଓ ଗୁରୁତ୍ୱକୁ ପ୍ରଦର୍ଶିତ କରାଯିବ।

ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଦୁଇଟି ପର୍ଯ୍ୟାୟରେ ଶୋ’ ପ୍ରଦର୍ଶିତ ହେବ। ପ୍ରତ୍ୟେକ ପ୍ରଦର୍ଶନୀର ଅବଧି ପ୍ରାୟ ୧୬ ମିନିଟ୍ ୭ ସେକେଣ୍ଡ ରହିବ। ଏକାସାଙ୍ଗରେ ୧୨୦ ଜଣ ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି।
ଦୈନିକ ପ୍ରଦର୍ଶନୀ ସମୟସୂଚୀ ଅନୁଯାୟୀ ପ୍ରଥମ ଶୋ’ ସନ୍ଧ୍ୟା ୭ଟାରୁ ୭ଟା ୩୫ ମିନିଟ୍ ଏବଂ ଦ୍ୱିତୀୟ ଶୋ’ ସନ୍ଧ୍ୟା ୭ଟା ୪୫ରୁ ୮ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକମାନେ ଓଡ଼ିଶା ପର୍ଯ୍ୟଟନର ଅନଲାଇନ୍ ଟିକେଟିଂ ପୋର୍ଟାଲ୍ www.bookodisha.com ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ।
ଖଣ୍ଡଗିରି-ଉଦୟଗିରିରେ ଏହି ନୂତନ ପ୍ରକଳ୍ପ ଐତିହ୍ୟ ପର୍ଯ୍ୟଟନକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବାର ଏକ ପଦକ୍ଷେପ ଭାବେ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଏହି ଐତିହାସିକ ସ୍ଥଳର ଇତିହାସ ଓ ସାଂସ୍କୃତିକ ଗୁରୁତ୍ୱକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯିବ।
ଉଦ୍ଘାଟନ କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

