ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୯/୦୯: ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ‘ସୁଗମ୍ୟ ସଂସଦ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତିକରଣ’ ବିଷୟରେ ଆଲୋଚନାରେ ସେ ଯୋଗ ଦେଇଥିଲେ।
ବାଚସ୍ପତି କହିଛନ୍ତି, ପରିବର୍ତ୍ତନଶୀଳ ବିଶ୍ୱରେ ଗଣତନ୍ତ୍ର ନୂଆ ଆହ୍ୱାନର ସାମ୍ନା କରୁଛି। ତେବେ ପ୍ରତ୍ୟେକ ନାଗରିକଙ୍କ ସମାନତା ଓ ଅଧିକାର ସୁନିଶ୍ଚିତ କରିବା ଗଣତନ୍ତ୍ରର ମୂଳ ନୀତି ବୋଲି ସେ କହିଛନ୍ତି।

ଭାରତୀୟ ସଂସ୍କୃତିରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅବଦାନ ରହିଛି। ଭାରତୀୟ ଗଣତନ୍ତ୍ରରେ ମଧ୍ୟ ଦିବ୍ୟାଙ୍ଗମାନେ ପ୍ରତିନିଧିତ୍ୱ କରି ଦେଶର ବିକାଶରେ ଯୋଗଦାନ ଦେଇଛନ୍ତି। ସଂସଦ ଓ ବିଧାନସଭାର ଡିଜିଟାଇଜେସନ୍ ଦିବ୍ୟାଙ୍ଗମାନଙ୍କ ଅଂଶଗ୍ରହଣକୁ ଆହୁରି ସହଜ କରିପାରିବ ବୋଲି ସେ କହିଥିଲେ।
‘ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬’ ଦିବ୍ୟାଙ୍ଗମାନଙ୍କ ସମାନତା, ସୁଗମ୍ୟତା ଓ ଅଂଶଗ୍ରହଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସୁରମା ପାଢ଼ୀ କହିଥିଲେ। ଓଡ଼ିଶାରେ ‘ବାଣୀଶ୍ରୀ ବୃତ୍ତି’ ଓ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ସମେତ ବିଭିନ୍ନ ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗଙ୍କୁ ସହାୟତା ଦିଆଯାଉଥିବା ସେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ବାଚସ୍ପତି ରବିନ୍ଦ୍ରନାଥ ମହାତୋ, ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟର ଓ ମହାରାଷ୍ଟ୍ର ବିଧାନ ପରିଷଦ ଅଧ୍ୟକ୍ଷ ପ୍ରଫେସର ରାମ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ସଚିବ ସତ୍ୟବ୍ରତ ରାଉତ ମଧ୍ୟ ଯୋଗ ଦେଇଛନ୍ତି
।

