ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ କିଟ୍ ଓ କିସ୍ ପକ୍ଷରୁ ନିଆରା ପଦକ୍ଷେପ
୩ ହଜାର ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ରକ୍ତଦାନ, ୪୦ ହଜାର ଛାତ୍ରଛାତ୍ରୀଙ୍କ ସାମୂହିକ ଉତ୍ସବ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୯/୨୬: କିଟ୍ ଓ କିସ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ବିଭିନ୍ନ ସେବାମୂଳକ ଓ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଛି। ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସାମୂହିକ ଜନ୍ମଦିନ ପାଳନ ଏବଂ ଦୀପଦାନ ସହ ବେଦପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜନ୍ମଦିନ ଅବସରରେ ସକାଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ କିଟ୍ ଓ କିସ୍ର ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କିସ୍ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଏହାପରେ କିସ୍ ପରିସରରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ମାସ୍କ ପିନ୍ଧି ଜନ୍ମଦିନ କେକ୍ କାଟିଥିଲେ ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଉତ୍ସାହର ସହ ଛାତ୍ରଛାତ୍ରୀମାନେ ଏହି ସାମୂହିକ ଉତ୍ସବରେ ସାମିଲ ହୋଇଥିଲେ।
ପରେ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ କିସ୍ର ଜନଜାତି ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସମୂହ ଦୀପଦାନ କରିଥିଲେ। ଏଥିସହ ଶ୍ରୀବାଣୀକ୍ଷେତ୍ର ବେଦ ସ୍କୁଲ୍ର ବେଦାଧ୍ୟାୟୀମାନଙ୍କ ପକ୍ଷରୁ ବେଦପାଠ କରାଯାଇଥିଲା।
ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଅବଗତ କରାଇଥିଲେ।
ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜନକଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ଉଲ୍ଲେଖ କରିବା ସହ ଜନଜାତି ସମୁଦାୟର ସଶକ୍ତିକରଣ ଓ ବିକାଶ ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଥିଲେ।
କିଟ୍-କିସ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା, ସାମୂହିକ ଅଂଶଗ୍ରହଣ ଓ ପ୍ରାର୍ଥନା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା।


