ଭୁବନେଶ୍ୱର, ନିରପେକ୍ଷ ଖବର, ୨୯/୦୯:
ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ସେ କହିଛନ୍ତି।
ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ସେ କହିଛନ୍ତି, ପୋଷଣ ମାସ ଅବସରରେ ରାଜ୍ୟରେ ୪୬ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଧାର ଯାଞ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମା’ଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଶିଶୁର ପୋଷଣ ଓ ଲାଳନପାଳନରେ ସାମିଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ତୃଣମୂଳ ସ୍ତରରେ ଶିଶୁ ଟୀକାକରଣ, ଅନୁଷ୍ଠାନଗତ ପ୍ରସବ ବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଏଏନଏମ୍ ଓ ଆଶା କର୍ମୀଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ମହିଳା ସଶକ୍ତିକରଣ ବିନା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ନୁହେଁ ବୋଲି ମତ ଦେଇ ସେ ‘ସୁଭଦ୍ରା ଯୋଜନା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ସମ୍ପର୍କରେ ଉଲ୍ଲେଖ କରିଥିଲେ। ରାଜ୍ୟ ବଜେଟର ଅତିକମରେ ୪୦ ପ୍ରତିଶତ ମହିଳାଙ୍କ ପାଇଁ ଖର୍ଚ୍ଚ ହେଉଥିବା ସେ କହିଥିଲେ।
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଅବସରରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ କରିଥିବା ବାପାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିବା ସହ ଶିଶୁମାନଙ୍କୁ ନିଜ ହାତରେ ଖାଦ୍ୟ ପରିବେଷଣ କରିଥିଲେ।
ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ବହୁ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଶିଶୁ ଓ ଅଭିଭାବକ ଉପସ୍ଥିତ ଥିଲେ।


