ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୯/୦୯ : ରେଳପଥ ମାଧ୍ୟମରେ ନିଶାଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ଦ୍ରବ୍ୟର ବେଆଇନ ଚାଲାଣ ରୋକିବା ପାଇଁ ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ପକ୍ଷରୁ ‘ଅପରେସନ ନାର୍କୋସ୍’ ଅଧୀନରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନକୁ ଅଧିକ ଜୋରଦାର କରାଯାଇଛି। ‘ନଶା ମୁକ୍ତ ଭାରତ’ ଗଠନ ଦିଗରେ ଏହି ପଦକ୍ଷେପକୁ ପୂର୍ବତଟ ରେଳପଥର ଏକ ପ୍ରମୁଖ ଅଭିଯାନ ଭାବେ ଦେଖାଯାଉଛି।
ଅଭିଯାନକୁ ଅଧିକ ସୁଦୃଢ଼ କରିବା ପାଇଁ ପୂର୍ବତଟ ରେଳପଥରେ ୧୮ଟି ନୂଆ କୁକୁର ଛୁଆଙ୍କୁ ସାମିଲ କରାଯାଇଛି। ଏଥିରେ ୧୫ଟି ସ୍ୱତନ୍ତ୍ର ନିଶାଦ୍ରବ୍ୟ ସନ୍ଧାନୀ କୁକୁର ରହିଛି। ଏହାଦ୍ୱାରା ରେଳପଥରେ ସନ୍ଧାନୀ କୁକୁରଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୦ଟି କୁକୁରକୁ ବିଶେଷ ଭାବେ ନିଶାଦ୍ରବ୍ୟ ଚିହ୍ନଟ ଓ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଏହି ସନ୍ଧାନୀ କୁକୁରମାନଙ୍କୁ ଟ୍ରେନ୍, ପ୍ଲାଟଫର୍ମ, ଲଗେଜ୍, ପାର୍ସଲ୍ ଅଞ୍ଚଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କାର୍ଯ୍ୟରେ ବ୍ୟବହାର କରାଯିବ। ନୂତନ ଭାବେ ସାମିଲ ହୋଇଥିବା କୁକୁରମାନଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷଣ ଚଳିତ ବର୍ଷ ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ୨୦୨୭ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯିବ।
ନିଶାଦ୍ରବ୍ୟ ଚାଲାଣ ଉପରେ ନଜର ରଖିବା ପାଇଁ ଆରପିଏଫ୍ ପକ୍ଷରୁ ସିସିଟିଭି ନିରୀକ୍ଷଣ, ବ୍ୟାଗେଜ୍ ସ୍କାନର୍, ଡ୍ରୋନ୍ ନିରୀକ୍ଷଣ ଓ ଉନ୍ନତ ବିଶ୍ଳେଷଣ ପ୍ରଣାଳୀର ମଧ୍ୟ ବ୍ୟବହାର କରାଯାଉଛି। ଏଥିସହ ଜିଆରପି, ରାଜ୍ୟ ପୁଲିସ ଏବଂ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ସମନ୍ୱୟ ରଖି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ମିଳିତ ଅଭିଯାନ ଚାଲୁଥିବା ଜଣାପଡ଼ିଛି।
ପୂର୍ବତଟ ରେଳପଥର ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ‘ଅପରେସନ ନାର୍କୋସ୍’ ଅଧୀନରେ ୭୫ଟି ମାମଲା ଚିହ୍ନଟ ହୋଇଛି। ଏହି ଅଭିଯାନରେ ପ୍ରାୟ ୩.୬୦ କୋଟି ଟଙ୍କା ମୂଲ୍ୟର ୧,୦୭୯.୬୪୨ କିଲୋଗ୍ରାମ ଗଞ୍ଜେଇ ଏବଂ ୬୦ ବୋତଲ କୋଡିନ୍ ଭିତ୍ତିକ କଫ୍ ସିରପ୍ ଜବତ କରାଯାଇଛି। ଏଥିସହ ନିଶାଦ୍ରବ୍ୟ କାରବାର ସହ ସଂପୃକ୍ତ ଥିବା ଅଭିଯୋଗରେ ୯୨ ଜଣଙ୍କୁ ଗିରଫ କରାଯାଇଛି।
ରେଳପଥକୁ ନିଶାଦ୍ରବ୍ୟ ଚାଲାଣର ମାଧ୍ୟମ ହେବାରୁ ରୋକିବା ସହ ଯାତ୍ରୀ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

