ଭୁବନେଶ୍ୱର, ନିରପେକ୍ଷ ଖବର: ପାରିବାରିକ ମୂଲ୍ୟବୋଧ, ଭାବନା ଓ ନିଚ୍ଛକ ମନୋରଞ୍ଜନକୁ ନେଇ ଦର୍ଶକଙ୍କ ପାଇଁ ଭିନ୍ନ ସ୍ୱାଦର କାହାଣୀ ଭେଟି ଦେଇଆସୁଥିବା ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ଜୀ-ସାର୍ଥକ ଏବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନେଇଆସୁଛି ଏକ ହୃଦୟସ୍ପର୍ଶୀ ଓଡ଼ିଆ ଚଳଚ୍ଚିତ୍ର।
ଆସନ୍ତା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରେ ଜୀ-ସାର୍ଥକରେ ହେବ ‘ଜଗା ପରି ଭାଇ ଜଗତେ ନାହିଁ’ ର ୱାର୍ଲଡ ଟେଲିଭିଜନ ପ୍ରିମିୟର। ଭାଇ-ଭଉଣୀର ପବିତ୍ର ସମ୍ପର୍କ, ତ୍ୟାଗ, ବିଶ୍ୱାସ ଓ ଭଲପାଇବାକୁ ନେଇ ଗଢ଼ିଉଠିଥିବା ଏହି ଚଳଚ୍ଚିତ୍ର ରାକ୍ଷୀ ପୂର୍ଣ୍ଣିମାର ଭାବନାକୁ ଆହୁରି ଗଭୀର କରିବ ବୋଲି ଆଶା କରାଯାଉଛି।

ପ୍ରଭୁ ଶ୍ରୀକୃଷ୍ଣ ଓ ଦେବୀ ଦ୍ରୌପଦୀଙ୍କ ଅମର ଭାଇ-ଭଉଣୀ ସମ୍ପର୍କରୁ ପ୍ରେରଣା ନେଇ ନିର୍ମିତ ଏହି ସିନେମାର ମୁଖ୍ୟ ବାର୍ତ୍ତା ହେଉଛି ପ୍ରକୃତ ସମ୍ପର୍କ କେବଳ ରକ୍ତରେ ନୁହେଁ, ବରଂ ପ୍ରେମ, ବିଶ୍ୱାସ ଓ ତ୍ୟାଗରେ ଗଢ଼ିଉଠେ।
କାହାଣୀର କେନ୍ଦ୍ରରେ ରହିଛନ୍ତି ନିର୍ଭୀକ ଡେଲିଭରୀ ବୟ ‘ଜଗା’ ଓ ‘ବର୍ଣ୍ଣାଳୀ’। ଏକ ବିପଦ ସମୟରେ ଜଗା ନିଜ ଜୀବନକୁ ବାଜି ଲଗାଇ ବର୍ଣ୍ଣାଳୀଙ୍କୁ ରକ୍ଷା କରିବା ପରେ, କୃତଜ୍ଞତା ସ୍ୱରୂପ ବର୍ଣ୍ଣାଳୀ ତାଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ଏହିଠାରୁ ଆରମ୍ଭ ହୁଏ ଏକ ଅତୁଟ ଭାଇ-ଭଉଣୀ ସମ୍ପର୍କ।
ପରବର୍ତ୍ତୀ ସମୟରେ ପାରିବାରିକ ତିରସ୍କାର, ବିଶ୍ୱାସଘାତକତା, ଲୋଭ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବର୍ଣ୍ଣାଳୀଙ୍କ ପାଇଁ ଜଗା ଏକ ଶକ୍ତିଶାଳୀ ରକ୍ଷାକବଚ ଭାବେ ଠିଆ ହୁଅନ୍ତି। ଉଭୟଙ୍କ ସାହସ, ସଂଘର୍ଷ ଓ ଭାଇ-ଭଉଣୀର ନିଚ୍ଛକ ଭଲପାଇବାକୁ ନେଇ କାହାଣୀଟି ଆଗକୁ ବଢ଼ିଛି।
ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆର. ରଞ୍ଜନ ପଣ୍ଡା, ଭକ୍ତି ପଟ୍ଟନାୟକ, ଉଦିତ ଗୁରୁ ଓ ସୋନାଲିସା ନାୟକ ଅଭିନୟ କରିଛନ୍ତି। ପାରିବାରିକ ଡ୍ରାମା, ଥ୍ରିଲ୍, ଭାବନା ଓ ରକ୍ଷାବନ୍ଧନର ପବିତ୍ର ବାର୍ତ୍ତାର ସମନ୍ୱୟ ଥିବା ଏହି ସିନେମା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ଆଶା ରହିଛି।
ଏହି ଚଳଚ୍ଚିତ୍ରକୁ ନେଇ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ରାହୁଲ ରାଓ କହିଛନ୍ତି ଯେ, ଜୀ-ସାର୍ଥକ ସବୁବେଳେ ଓଡ଼ିଶାର କଳା, ସଂସ୍କୃତି ଓ ପାରିବାରିକ ମୂଲ୍ୟବୋଧକୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି। ‘ଜଗା ପରି ଭାଇ ଜଗତେ ନାହିଁ’ କେବଳ ଏକ ସିନେମା ନୁହେଁ, ବରଂ ଏହା ସମ୍ପର୍କର ଗଭୀରତା ଓ ଜଣେ ଭାଇ ନିଜ ଭଉଣୀ ପାଇଁ କରିପାରୁଥିବା ତ୍ୟାଗର ଏକ ଭାବପ୍ରବଣ ଚିତ୍ରଣ। ଏହି କାହାଣୀ ଦର୍ଶକଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ତେବେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭାଇ-ଭଉଣୀର ଅତୁଟ ସମ୍ପର୍କର ଏହି ଭାବପ୍ରବଣ କାହାଣୀକୁ ପରିବାର ସହ ଉପଭୋଗ କରିବାକୁ ଦର୍ଶକଙ୍କ ପାଇଁ ରହିଛି ସୁଯୋଗ। ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୩୦—ଜୀ-ସାର୍ଥକରେ ‘ଜଗା ପରି ଭାଇ ଜଗତେ ନାହିଁ’।

