ଭୁବନେଶ୍ୱର, ନିରପେକ୍ଷ ଖବର, ଅକ୍ଟୋବର ୨: କିଟ୍ ଓ କିସ୍ର ଶିକ୍ଷା ଓ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଭୁଟାନରୁ ଆସିଥିବା ୪୦ ଜଣିଆ ଶିକ୍ଷକ ପ୍ରତିନିଧିମଣ୍ଡଳୀ। କେମ୍ବ୍ରିଜ୍ ଏଜୁକେସନ୍ ଏକାଡେମିକ୍ ଇମର୍ସନ୍ କାର୍ଯ୍ୟକ୍ରମ ଅଧୀନରେ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ପ୍ରତିନିଧିମଣ୍ଡଳୀ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଭୁଟାନର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ସ୍କୁଲ୍ ଏଜୁକେସନ୍ ବିଭାଗର ଏହି ପ୍ରତିନିଧିମଣ୍ଡଳୀ ‘ଇଣ୍ଡିଆ ଟ୍ରେକ୍’ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସି କିଟ୍ରେ ରହୁଛନ୍ତି।

ସାକ୍ଷାତ ସମୟରେ ପ୍ରତିନିଧିମାନେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଅବଦାନ ସମ୍ପର୍କରେ ନିଜ ମତ ରଖିଥିଲେ। କିସ୍ର କାର୍ଯ୍ୟକୁ ଉଲ୍ଲେଖ କରି ସେମାନେ କହିଥିଲେ, ଜନଜାତି ଶିଶୁଙ୍କ ଶିକ୍ଷା ଓ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ କିସ୍ର ଭୂମିକା ଉଲ୍ଲେଖନୀୟ। ଏଥିସହ ଅଚ୍ୟୁତ ସାମନ୍ତଙ୍କ ‘ଆର୍ଟ ଅଫ୍ ଗିଭିଂ’ ଦର୍ଶନରେ ସେମାନେ ପ୍ରଭାବିତ ହୋଇଥିବା କହିଥିଲେ।
ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରି ଅଚ୍ୟୁତ ସାମନ୍ତ କହିଥିଲେ ଯେ, ଭଲପାଇବା ବାଣ୍ଟିବା ମାଧ୍ୟମରେ ଜୀବନରେ ଶାନ୍ତି ଓ ସନ୍ତୋଷ ମିଳିପାରିବ। ଭଲପାଇବା ଓ ସେବାର ଭାବନାକୁ ଆଗକୁ ନେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଭୁଟାନର ଏହି ଶିକ୍ଷକ ପ୍ରତିନିଧିମଣ୍ଡଳୀଙ୍କ ପାଇଁ ଓଡ଼ିଶାର କଳା, ସାହିତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ସମ୍ପର୍କରେ ଅନୁଭୂତି ହାସଲ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ସେମାନେ ଖଣ୍ଡଗିରି-ଉଦୟଗିରି ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ।

