ଭୁବନେଶ୍ୱର,ନିରପେକ୍ଷ ଖବର: ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ତ୍ରୀଙ୍କ ମନ୍ତବ୍ୟକୁ ଦଳ ପକ୍ଷରୁ ‘ବିଭ୍ରାନ୍ତିକର’ ବୋଲି ଅଭିହିତ କରାଯାଇଥିବା ବେଳେ, ଲୋକାୟୁକ୍ତ ନିଯୁକ୍ତିରେ ଦୁଇ ବର୍ଷର ବିଳମ୍ବ ପାଇଁ ବର୍ତ୍ତମାନର ସରକାରଙ୍କୁ ଜବାବଦେହ କରିଛି ଦଳ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ବେଳେ ମନ୍ତ୍ରୀ ପୂଜାରୀ ‘୨୪ ବର୍ଷରେ ହୋଇନଥିଲା, ୨ ବର୍ଷ ବିଳମ୍ବ କ’ଣ ବେଶୀ ହୋଇଗଲା?’ ବୋଲି ପାଲଟା ପ୍ରଶ୍ନ କରିଥିଲେ। ଏହି ମନ୍ତବ୍ୟ ମାଧ୍ୟମରେ ବର୍ତ୍ତମାନର ସରକାର ନିଜ ଦାୟିତ୍ୱ ଏଡ଼ାଇବାକୁ ପୂର୍ବ ସରକାର ଆଡ଼କୁ ଦୋଷ ଠେଲୁଥିବା ବିଜେଡି ଅଭିଯୋଗ କରିଛି।

ଡ. ମହାନ୍ତିଙ୍କ ଦାବି ଅନୁସାରେ, ଦୁର୍ନୀତି ନିରୋଧ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଲୋକାୟୁକ୍ତ ଆଇନ ପରେ ଓଡ଼ିଶା ୨୦୧୪ରେ ନିଜସ୍ୱ ଲୋକାୟୁକ୍ତ ଆଇନ ପ୍ରଣୟନ କରିଥିଲା। ଏହାପରେ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହୋଇ ୨୦୧୮ରେ ରାଜ୍ୟରେ ଲୋକାୟୁକ୍ତ ଗଠିତ ହୋଇଥିଲା।
ବିଜେଡି ପକ୍ଷରୁ କୁହାଯାଇଛି ଯେ, ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ବେଳେ ଦୁଇଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୪ରେ ଶେଷ ହୋଇଥିଲା। ଏହାପରେ ନୂତନ ନିଯୁକ୍ତି କରିବାର ଦାୟିତ୍ୱ ବର୍ତ୍ତମାନର ସରକାରଙ୍କ ଉପରେ ଥିଲା। କିନ୍ତୁ ଦୀର୍ଘ ସମୟ ଧରି ନିଯୁକ୍ତି ହୋଇନଥିବାରୁ ପଦବୀ ଖାଲି ରହିଥିଲା ବୋଲି ଦଳ ଅଭିଯୋଗ କରିଛି।
ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଏବେ ଆରମ୍ଭ ହେବାକୁ ନେଇ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ମଧ୍ୟ ବିଜେଡି ଅଭିଯୋଗ କରିଛି। ଡ. ମହାନ୍ତିଙ୍କ ଦାବି ଅନୁସାରେ, ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ୨୦୨୫ ସେପ୍ଟେମ୍ବର, ୨୦୨୫ ଡିସେମ୍ବର ଏବଂ ୨୦୨୬ ଜାନୁଆରୀରେ ଲୋକାୟୁକ୍ତ ନିଯୁକ୍ତି ନେଇ ସରକାରଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ ତାଗିଦ କରିଥିଲେ।
ବିଜେଡିର ଅଭିଯୋଗ—ଲୋକାୟୁକ୍ତ ଭଳି ଏକ ଦୁର୍ନୀତି ନିରୋଧୀ ସଂସ୍ଥାର ପଦବୀ ଦୀର୍ଘ ସମୟ ଖାଲି ରହିବା ନେଇ ସରକାର ସ୍ପଷ୍ଟ ଜବାବ ଦେବା ଆବଶ୍ୟକ। ରାଜନୈତିକ ଦୋଷାରୋପ ନୁହେଁ, ନିଯୁକ୍ତିରେ ବିଳମ୍ବର ପ୍ରକୃତ କାରଣ ଓ ଜବାବଦେହିତା ସରକାର ସ୍ପଷ୍ଟ କରୁ ବୋଲି ଦଳ ଦାବି କରିଛି।

