କଟକ/ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୭/୦୯ ଶେଷ ହେଲା ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନ, ଜନକଲ୍ୟାଣକାରୀ ଯୋଜନା ଓ ଆଗାମୀ ରାଜନୈତିକ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି।
ବୈଠକକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷ କହିଛନ୍ତି, ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ। ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଛନ୍ତି।
ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇ ପାରିତ ହୋଇଛି। ଦେଶ ଓ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଂଗ୍ରେସ ଓ ବିଜେଡିର ଭୂମିକାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଏହି କାର୍ଯ୍ୟକାରିଣୀ ପ୍ରେରଣା ଦେଇଛି ବୋଲି ସାଂସଦ ଡକ୍ଟର ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।

