ଗାନ୍ଧିଜୀଙ୍କ ଚିନ୍ତା ଓ ଉକ୍ତି ଯୁଗବ୍ୟାପୀ: କ୍ରିଷ୍ଣା ମହାନ୍ତି
ବି.ଜେ.ଇ.ଏମ୍. ସ୍କୁଲରେ ଗାନ୍ଧିବାଦୀ ଜନନେତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୦୯
ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରା, ଆଦର୍ଶ ଓ ଉକ୍ତି ଆଜି ବି ସମାଜ ପାଇଁ ସମାନ ଭାବେ ପ୍ରାସଙ୍ଗିକ। ସମୟ ବଦଳିଲେ ମଧ୍ୟ ଗାନ୍ଧିଜୀଙ୍କ ମୂଲ୍ୟବୋଧ ମାନବ ସମାଜକୁ ଦିଗଦର୍ଶନ ଦେଇ ଚାଲିଛି ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଜନନେତ୍ରୀ କ୍ରିଷ୍ଣା ମହାନ୍ତି।
ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗାନ୍ଧି ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏସ୍.ଆର୍.ଏମ୍.ଜି. ଆନ୍ତଃବିଦ୍ୟାଳୟ (ଓଡ଼ିଆ ମାଧ୍ୟମ) ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମହାନ୍ତି ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ଜୀବନ, ଆଦର୍ଶ ଓ ଚିନ୍ତାଧାରା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।

ଗାନ୍ଧିଜୀଙ୍କ ସହ ନିଜର ପ୍ରତ୍ୟକ୍ଷ ସାକ୍ଷାତର ଅନୁଭୂତି ସହ ତାଙ୍କ ପିତା ନବକୃଷ୍ଣ ଚୌଧୁରୀ ଓ ମାତା ମାଳତୀ ଚୌଧୁରୀଙ୍କ ଜୀବନ, ସ୍ୱାଧୀନତା ସଂଗ୍ରାମ ପ୍ରତି ସମର୍ପଣ ଏବଂ ଗାନ୍ଧୀୟ ଆଦର୍ଶ ପ୍ରତି ପରିବାରର ଅବଦାନ ବିଷୟରେ ସେ ଛାତ୍ରଛାତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଥିଲେ।
ଏଥିସହ ୨୦୧୮ ମସିହାରେ ସ୍ୱିଡେନର ଯୁବ ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ନିର୍ଭୀକ ଭାବେ ପ୍ରଶ୍ନ ଉଠାଇବାର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ସତ୍ୟ କହିବା, ପ୍ରଶ୍ନ କରିବା ଓ ନିଜ ଅଧିକାର ପାଇଁ ନିର୍ଭୟ ଭାବେ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶ୍ରୀପତି ନାରାୟଣ ମିଶ୍ର ଗାନ୍ଧିଜୀଙ୍କ ଅବଦାନ ସହ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସ୍ୱାଧୀନତା ସଂଗ୍ରାମରେ ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ।
ସେହିପରି ପରିଚାଳନା କମିଟିର ପରିଚାଳକ ଶ୍ରୀ ପ୍ରତାପ କୁମାର ଜେନା ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ଜୀବନର ବିଭିନ୍ନ ଆଦର୍ଶପୂର୍ଣ୍ଣ ଘଟଣା ସ୍ମରଣ କରିଥିଲେ। ମହାନ ବ୍ୟକ୍ତିତ୍ୱଙ୍କ ସାନ୍ନିଧ୍ୟ ମଣିଷର ଚିନ୍ତା, ଚେତନା ଓ କର୍ମଧାରା ଉପରେ କିପରି ଗଭୀର ପ୍ରଭାବ ପକାଇଥାଏ, ସେ ସମ୍ପର୍କରେ ମଧ୍ୟ ସେ ମତ ରଖିଥିଲେ।
ଏସ୍.ଆର୍.ଏମ୍.ଜି. କାର୍ଯ୍ୟକ୍ରମର ପରମ୍ପରା ଅନୁଯାୟୀ ବିଦ୍ୟାଳୟ ପକ୍ଷରୁ ଗାନ୍ଧିବାଦୀ ଜନନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବି.ଜେ. ଏଜୁକେସନ୍ ସୋସାଇଟିର ସଭାପତି ଶ୍ରୀ ରଘୁନାଥ ମିଶ୍ର, ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ନରେଶ କୁମାର ରଥ, ପଦ୍ମାଳୟା ପଲ୍, ପ୍ରଦୀପ କୁମାର ମଲ୍ଲିକଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।
ଏହି ଅବସରରେ ଭୁବନେଶ୍ୱରର ୨୩ଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଓ ଗୌରବମୟ କରିଥିଲେ।

