ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୮/୨୬: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦୀ ଲିଜ୍ ମାଧ୍ୟମରେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ତୀବ୍ର ଆକ୍ରମଣ କରିଛି ବିଜୁ ଜନତା ଦଳ। ଏହା ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ ବୋଲି ଅଭିଯୋଗ କରିଛି ଦଳ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ କହିବାନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ବିମାନବନ୍ଦର ଓଡ଼ିଶାର ଗୌରବ ଓ ଅସ୍ମିତାର ଏକ ପ୍ରମୁଖ ପ୍ରତୀକ। ଏହାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାର ନିଷ୍ପତ୍ତି କାହା ସ୍ୱାର୍ଥରେ ନିଆଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଡ. ସାମନ୍ତସିଂହାର ଦାବି କରିଛନ୍ତି ଯେ, ବିଜୁ ପଟ୍ଟନାୟକ ବିମାନବନ୍ଦର ଏକ ଲାଭଜନକ ବିମାନବନ୍ଦର ଏବଂ ପ୍ରତିବର୍ଷ ବହୁ ସଂଖ୍ୟକ ଯାତ୍ରୀ ଏଠାରୁ ଯାତାୟାତ କରନ୍ତି। ଏପରି ଏକ ଲାଭଜନକ ସରକାରୀ ସମ୍ପତ୍ତିରେ ଅଧିକ ନିବେଶ କରି ଏହାର ବିକାଶ କରିବା ପରିବର୍ତ୍ତେ ଘରୋଇ ସଂସ୍ଥାକୁ ଦୀର୍ଘମିଆଦୀ ଲିଜ୍ ଦେବାର ଯଥାର୍ଥତା ନେଇ ସେ ପ୍ରଶ୍ନ କରିଛନ୍ତି।
ବିଜେଡି ନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟର ଖଣି, ବନ୍ଦର ଓ ଅନ୍ୟାନ୍ୟ ସମ୍ପଦ ସମ୍ପର୍କିତ ବିଭିନ୍ନ ନୀତି ଓ ନିଷ୍ପତ୍ତିରେ ଓଡ଼ିଶାର ସ୍ୱାର୍ଥକୁ ଅବହେଳା କରାଯାଉଛି। ଏହାର ପରିଣାମରେ ରାଜ୍ୟର ସମ୍ପଦ ଓ ଆର୍ଥିକ ସ୍ୱାର୍ଥ କ୍ଷତିଗ୍ରସ୍ତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛି ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ବିଜୁ ପଟ୍ଟନାୟକ ବିମାନବନ୍ଦରର ମୂଲ୍ୟ ଓ ଭବିଷ୍ୟତ ବିକାଶ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଦେବା ନିଷ୍ପତ୍ତି ଉପରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଭବିଷ୍ୟତରେ ସାଧାରଣ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି।
ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି, ଓଡ଼ିଶାର ଏଭଳି ଏକ ପ୍ରମୁଖ ସମ୍ପତ୍ତିକୁ ଦୀର୍ଘମିଆଦୀ ଲିଜ୍ ଦେବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାର କେତେଦୂର ଅବଗତ ଏବଂ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କେଉଁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ କାହିଁକି ନୀରବ ଅଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ ଅଭିଯୋଗ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ବିମାନବନ୍ଦରର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ବର୍ତ୍ତମାନ ଏହାର ଆହୁରି ବିକାଶ କରିବା ପରିବର୍ତ୍ତେ ଘରୋଇକରଣ ନିଷ୍ପତ୍ତି ନେବା ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ବିଜେଡି ଦାବି କରିଛି।
ଏହି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର ନକଲେ ବିଜେଡି ପକ୍ଷରୁ ଜୋରଦାର ବିରୋଧ ସହ ଆନ୍ଦୋଳନ କରାଯିବ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ସୁରକ୍ଷିତ ରଖିବା ସହ ଏହାର ବିକାଶ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବି କରିଛି।

