ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୮/୦୯
ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ରହିଛି। ଏହା ଖଣି କ୍ଷେତ୍ରରେ ସ୍ୱଚ୍ଛତା ବଢ଼ାଇବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି କରିଛି ବୋଲି ପୁରୀ ସାଂସଦ ଡା. ସମ୍ବିତ ପାତ୍ର କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୨୦୧୫ରେ ଏମଏମଡିଆର ଆଇନରେ ସଂଶୋଧନ କରାଯାଇ ଇ-ନିଲାମି ବ୍ୟବସ୍ଥା ଆସିଥିଲା। ଏହା ପରେ ଓଡ଼ିଶାର ଖଣି ରାଜସ୍ୱ ବଢ଼ିଛି। ଡିଏମଏଫ ପାଣ୍ଠି ମାଧ୍ୟମରେ ମଧ୍ୟ ରାଜ୍ୟକୁ ବଡ଼ ଅର୍ଥ ମିଳିଛି ବୋଲି ସେ ଦାବି କରିଛନ୍ତି।
ଓରିସେଡ୍ ଆଇନ ପ୍ରସଙ୍ଗରେ ଡା. ପାତ୍ର ପୂର୍ବତନ ବିଜେଡି ସରକାରକୁ ପ୍ରଶ୍ନ କରିଛନ୍ତି। ଦୀର୍ଘ ସମୟ ଧରି ମାମଲା ଚାଲିଥିଲେ ମଧ୍ୟ ଆବଶ୍ୟକ ଆଇନଗତ ପଦକ୍ଷେପ କାହିଁକି ନିଆଯାଇନଥିଲା ବୋଲି ସେ ପଚାରିଛନ୍ତି।
ଖଣି ପ୍ରଭାବିତ ଅଞ୍ଚଳରେ ଡିଏମଏଫ ଟଙ୍କାର ବ୍ୟବହାରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦୁଝର ଭଳି ଖଣିଜ ସମୃଦ୍ଧ ଜିଲ୍ଲାରେ ଏହାର ଲାଭ ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି।
ଖଣିଜ ସମ୍ପଦ ଦେଶର ଶିଳ୍ପ ଓ ଅର୍ଥନୀତି ସହ ଜଡ଼ିତ। ତେଣୁ ଖଣି କ୍ଷେତ୍ରରେ ସ୍ୱଚ୍ଛ ଓ ଏକୀକୃତ ନୀତି ଆବଶ୍ୟକ ବୋଲି ଡା. ପାତ୍ର କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବିଜେଡିର ପୂର୍ବତନ ଶାସନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସଂଶୋଧିତ ଏମଏମଡିଆର ଆଇନର ପ୍ରାବଧାନକୁ ବୁଝିବା ପରେ ମତ ରଖିବାକୁ ସେ ବିରୋଧୀ ଦଳକୁ କହିଥିଲେ।
ଏହି ଅବସରରେ ସାଂସଦ ଡ. ବିଭୁପ୍ରସାଦ ତରାଇ, ଅନୀତା ଶୁଭଦର୍ଶିନୀ, ଡା. ରବିନାରାୟଣ ବେହେରା ଓ ବିରଞ୍ଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ।

