ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୮ ଭୁବନେଶ୍ୱରସ୍ଥିତ ସରେଲ୍ ଅଡିଟୋରିୟମ୍ରେ ଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଉତ୍ସାହ ଓ ଆନନ୍ଦର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଭାଇସ୍ ଚାନ୍ସେଲର୍ ଡ. ରବି ନାରାୟଣ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼ାରେ ସୀମିତ ନରହି ଶୃଙ୍ଖଳା, ନୈତିକତା, ମାନବିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧକୁ ଜୀବନର ଅଂଶ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ସହିତ ଚରିତ୍ର ଗଠନ ହିଁ ଜଣେ ଛାତ୍ରର ସଫଳ ଭବିଷ୍ୟତର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ବ୍ରହ୍ମାନନ୍ଦ ମଙ୍ଗରାଜ ଏବଂ ଡାଇରେକ୍ଟର୍ ଇତିଶ୍ମିତା ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହିତ ଶିକ୍ଷାନୁଷ୍ଠାନର ନିରନ୍ତର ଉନ୍ନତି କାମନା କରିଥିଲେ।
ବିଦ୍ୟାଳୟର ପ୍ରିନ୍ସିପାଲ୍ ଡ. ସନ୍ତୋଷ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରି ବର୍ଷତମାମ ଶିକ୍ଷା, କ୍ରୀଡ଼ା ଓ ବିଭିନ୍ନ ସହପାଠ୍ୟକ୍ରମ କ୍ଷେତ୍ରରେ ବିଦ୍ୟାଳୟ ହାସଲ କରିଥିବା ସଫଳତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ।
ଉତ୍ସବରେ ଭାଇସ୍ ପ୍ରିନ୍ସିପାଲ୍ ଲକ୍ଷ୍ମୀକାନ୍ତ ମିଶ୍ର ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସର୍ ମୃତ୍ୟୁଞ୍ଜୟ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।
ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କ ପ୍ରତିଭାପୂର୍ଣ୍ଣ ପରିବେଷଣ ଉପସ୍ଥିତ ଅତିଥି, ଅଭିଭାବକ ଓ ଦର୍ଶକଙ୍କ ମନ ଜିଣିଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।
‘ଅଜୟଉଦୟ’ ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ସହିତ ସେମାନଙ୍କ ଶିକ୍ଷା, ଶୃଙ୍ଖଳା ଓ ସର୍ବାଙ୍ଗୀଣ ବିକାଶ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଉତ୍ସବକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥିମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।


