ଭୁବନେଶ୍ୱର, ନିରପେକ୍ଷ ଖବର: ତା,୧୭/୦୪ :
ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ପ୍ରଶାସନିକ ଢାଞ୍ଚାରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ପରେ ବିଜେପି ନେତୃତ୍ୱରେ ନୂତନ ସରକାର କ୍ଷମତାରେ ଆସିଥିବା ସତ୍ତ୍ୱେ, ପ୍ରଶାସନରେ ପୁରୁଣା ଧାରା ଅବିକଳ ରହିଥିବା ନେଇ ଚର୍ଚ୍ଚା ବଢ଼ିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠିତ ହୋଇ ପ୍ରାୟ ଦୁଇ ବର୍ଷ ହେବାକୁ ଯାଉଥିବାବେଳେ, କିଛି ଆଇଏଏସ୍ ଓ ଓଏଏସ୍ ଅଧିକାରୀ ଦୀର୍ଘଦିନ ଧରି ଏକେ ପଦବୀରେ ଅବସ୍ଥାନ କରୁଥିବା ଦେଖାଯାଉଛି। ପ୍ରତିମାସ ଅଧିକାରୀମାନଙ୍କ ବଦଳି ହେଉଥିଲେ ମଧ୍ୟ କିଛି ପ୍ରଭାବଶାଳୀ ଅଧିକାରୀ ସେମାନଙ୍କ ପଦବୀକୁ ଧରିରଖିବାରେ ସଫଳ ହୋଇଛନ୍ତି।
ବିଶେଷକରି ଉଚ୍ଚଶିକ୍ଷା ଓ ଆଇଟି ବିଭାଗରେ ଦୀର୍ଘଦିନ ଧରି ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅବସ୍ଥାନ ପ୍ରଶ୍ନ ଉଠାଇଛି। ପୂର୍ବତନ ସରକାର ସମୟରେ ପ୍ରଭାବଶାଳୀ ଥିବା କିଛି ସଚିବମାନେ ଏବେ ମଧ୍ୟ ସେହି ପ୍ରଭାବ ଜାରି ରଖିଥିବା ଅଭିଯୋଗ ହେଉଛି।
ଟେଣ୍ଡର ପ୍ରକ୍ରିୟାକୁ ନେଇ ମଧ୍ୟ ଗଭୀର ସନ୍ଦେହ ସୃଷ୍ଟି ହେଉଛି। କେଉଁ କାମ ପାଇଁ କେବେ ଟେଣ୍ଡର ଡାକାଯାଉଛି, କିଏ କିଏ ଆବେଦନ କରୁଛନ୍ତି ଓ କେମିତି ଭାବରେ କମ୍ପାନି ବାଛାଯାଉଛି—ସେଥିପାଇଁ ମନ୍ତ୍ରୀସ୍ତରରେ ଯଥେଷ୍ଟ ନଜର ନଥିବା କୁହାଯାଉଛି। ଏହାର ଫଳରେ କିଛି ଅଧିକାରୀ ନିଜ ପସନ୍ଦର କମ୍ପାନିଙ୍କୁ କାମ ଦେଉଥିବା ଓ ନିୟମ ଉଲଂଘନ ହେଉଥିବା ଅଭିଯୋଗ ଆସୁଛି।
ଉଦାହରଣ ସ୍ୱରୂପ, ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ସ୍ଥାପନା ସମ୍ବନ୍ଧୀୟ କାମରେ ପୂର୍ବରୁ ଅନୁକୂଳତା ପାଇଥିବା କମ୍ପାନିକୁ ପୁନର୍ବାର ସୁଯୋଗ ଦେବା ପାଇଁ ଚେଷ୍ଟା ହେଉଥିବା ଚର୍ଚ୍ଚା ଚାଲିଛି। ବାହାର ରାଜ୍ୟରେ ବ୍ଲାକଲିଷ୍ଟ ହୋଇଥିବା ‘ପ୍ରିଣ୍ଟଲିଙ୍କ୍’ କମ୍ପାନି ପ୍ରତି କିଛି ଅଧିକାରୀଙ୍କ ଅତ୍ୟଧିକ ରୁଚି ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଏହି ପରିସ୍ଥିତିରେ ବୁଦ୍ଧିଜୀବୀ ମଣ୍ଡଳୀ ଚିନ୍ତା ପ୍ରକାଶ କରିଛନ୍ତି। ସରକାର ବଦଳିଲେ ମଧ୍ୟ ପ୍ରଶାସନିକ ମନୋଭାବ ଓ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ନ ଆସିବାକୁ ନେଇ ପ୍ରଶ୍ନ ଉଠିଛି। ସମୟ ଥିବାବେଳେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରଶାସନରେ ପାରଦର୍ଶିତା ଆଣିବା ସହ ଅଧିକାରୀମାନଙ୍କ ଉପରେ କଡା ନଜର ରଖିବାକୁ ଦାବି ହେଉଛି।

