ନବରଙ୍ଗପୁର, ନିରପେକ୍ଷ ଖବର: ତା ୦୪/୦୭ ସରକାରୀ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ମାନଦଣ୍ଡ ପାଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। କିଛି କ୍ଷେତ୍ରରେ ଟେଣ୍ଡର ସମ୍ବନ୍ଧୀୟ ନିୟମାବଳୀର ଯଥାର୍ଥ ପାଳନ ହୋଇନଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।
ଅଭିଯୋଗ ଅନୁସାରେ, ଯୋଗ୍ୟତା ଓ ମୂଲ୍ୟାୟନ ସମ୍ବନ୍ଧୀୟ ନିର୍ଦ୍ଧାରିତ ମାନଦଣ୍ଡ ଅନୁସରଣରେ ଅନିୟମିତତା ହେବା ଫଳରେ ଯୋଗ୍ୟ ସଂସ୍ଥାମାନେ ସୁଯୋଗରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହା ସହ ସରକାରୀ ଅର୍ଥ ବ୍ୟବହାର ଓ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ନ ହେଲେ ସାଧାରଣ ଲୋକଙ୍କ ବିଶ୍ୱାସ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦାବି ହେଉଛି।
ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଫରେଷ୍ଟ ଡିଭିଜନର ଟେଣ୍ଡର ନମ୍ବର 8001/153/2627 ଓ ଉଚ୍ଚଶିକ୍ଷା ବିଭାଗର ଟେଣ୍ଡର ନମ୍ବର 11001/147/2627 ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ହେଉଛି, ସମ୍ପୃକ୍ତ ଟେଣ୍ଡର ସୂଚନା ଅନଲାଇନ ପ୍ଲାଟଫର୍ମ ପରିବର୍ତ୍ତେ ଖବରକାଗଜରେ ପ୍ରକାଶ କରାଯାଇଥିବାରୁ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ତେବେ ଏହି ଅଭିଯୋଗ ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ମହଳରେ ଚର୍ଚ୍ଚା ଜାରି ରହିଛି।

