ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର): ବିଶ୍ୱ ଇନ୍ଧନ ବଜାରର ଅସ୍ଥିରତା ଓ ଏଲ୍ପିଜି ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ସିଟି ଗ୍ୟାସ୍ ବିତରଣ (CGD) ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଲୋକସେବା ଭବନରେ ମୁଖ୍ୟ ଶାସନସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଘରୋଇ ଓ ବାଣିଜ୍ୟିକ ଖାଉଟିମାନଙ୍କୁ ଏଲ୍ପିଜି ପରିବର୍ତ୍ତେ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) ଓ ସିଏନ୍ଜି (CNG) ବ୍ୟବହାର ପାଇଁ ପ୍ରୋତ୍ସାହନ ଦେବା ନେଇ ଆଲୋଚନା ହୋଇଛି।

ରାଜ୍ୟ ସରକାର ୩୦ ଜୁନ୍ ୨୦୨୬ ସୁଦ୍ଧା ପାଇପଲାଇନ ଭିତ୍ତିଭୂମି କାର୍ଯ୍ୟକୁ ଦ୍ରୁତଗତିରେ ଶେଷ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପାଇପଲାଇନ ଅନୁମତିକୁ ୨୪ ଘଣ୍ଟା ମଧ୍ୟରେ କ୍ଲିୟରାନ୍ସ ଦେବା ସହ ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକୁ ଦିନରାତି କାର୍ଯ୍ୟ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି।
ସରକାର କହିଛନ୍ତି, ପ୍ରାକୃତିକ ଗ୍ୟାସ୍ ବ୍ୟବହାର ବଢ଼ିଲେ ଦୀର୍ଘକାଳୀନ ଦର ସ୍ଥିରତା ଓ ଶକ୍ତି ସୁରକ୍ଷା ନିଶ୍ଚିତ ହେବ।

