ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୧/୧୦
ଦେଶର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକରୁ ଅଧିକ ଲୋକ ଭ୍ରମଣ କରିବା ଉଚିତ। ବିଦେଶ ଯାତ୍ରା ପରିବର୍ତ୍ତେ ଦେଶର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅନୁସନ୍ଧାନ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବିକାକୁ ସମର୍ଥନ କରିବା ଆବଶ୍ୟକ। ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି।
ଶନିବାର ରାଜ୍ୟପାଳ ଡକ୍ଟର କମ୍ଭମପାଟି ନିଜ ପତ୍ନୀ ତଥା ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟିଙ୍କ ସହ ଦେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟଜନ୍ତୁ ଏବଂ ସବୁଜ ବନାନୀକୁ ଉପଭୋଗ କରିଥିଲେ।
ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ସୁବିଧା, ଭିତ୍ତିଭୂମିର ବିକାଶ ଏବଂ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଦେବ୍ରିଗଡ଼ ଅଭୟାରଣ୍ୟ ଏହାର ସମୃଦ୍ଧ ବନ୍ୟଜନ୍ତୁ ସମ୍ପଦ, ମନୋରମ ଜଙ୍ଗଲ ଏବଂ ହୀରାକୁଦ ଜଳଭଣ୍ଡାରର ନିକଟବର୍ତ୍ତୀ ଅବସ୍ଥିତି ପାଇଁ ବେଶ୍ ପରିଚିତ। ପଶ୍ଚିମ ଓଡ଼ିଶାର ଏହି ପର୍ଯ୍ୟଟନସ୍ଥଳୀ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ ପରିଚିତି ହାସଲ କରିଛି।
ଏଥିସହ ପର୍ଯ୍ୟଟନ ସମ୍ପର୍କିତ କାର୍ଯ୍ୟକଳାପରେ ସ୍ଥାନୀୟ ସମୁଦାୟର ଭୂମିକାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ପର୍ଯ୍ୟଟନର ବିକାଶ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି ହେବା ସହ ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟକୁ ମଧ୍ୟ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।
ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକାକୁ ସମୃଦ୍ଧ କରିବା ଦିଗରେ ଦେବ୍ରିଗଡ଼ ଅଭୟାରଣ୍ୟର ଗୁରୁତ୍ୱକୁ ରାଜ୍ୟପାଳଙ୍କ ଏହି ଗସ୍ତ ପୁଣିଥରେ ଉଜାଗର କରିଛି।
ସୂଚନାନୁସାରେ, ରାଜ୍ୟପାଳ ଦେବ୍ରିଗଡ଼ ଅଭୟାରଣ୍ୟରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।


