ଭୁବନେଶ୍ୱର, ନିରପେକ୍ଷ ଖବର: ଘର ସମ୍ଭାଳିବାଠାରୁ ପରିବାରର ଦାୟିତ୍ୱ ନିର୍ବାହ, ପରମ୍ପରାର ସୁରକ୍ଷାଠାରୁ ଆଧୁନିକ ଜୀବନଶୈଳୀ ସହ ତାଳ ଦେବା—ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଘରର ମହିଳାଙ୍କ ଅବଦାନକୁ ମିଳିବ ସ୍ୱତନ୍ତ୍ର ସ୍ୱୀକୃତି। ଏହି ଉଦ୍ଦେଶ୍ୟ ନେଇ ଦର୍ଶକଙ୍କ ପାଇଁ ଏକ ନୂଆ ରିଆଲିଟି ସୋ’ ‘ଗୃହଲକ୍ଷ୍ମୀ’ ନେଇ ଆସୁଛି ଜୀ-ସାର୍ଥକ।
ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେବ। ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ ମିନିଟ୍ରେ ଦର୍ଶକ ଜୀ-ସାର୍ଥକରେ ଏହାକୁ ଦେଖିପାରିବେ।

‘ଗୃହଲକ୍ଷ୍ମୀ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରୋଇ ଦାୟିତ୍ୱ ତୁଲାଉଥିବା ମହିଳାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା, ଦକ୍ଷତା ଓ ଆତ୍ମବିଶ୍ୱାସକୁ ଏକ ନୂଆ ମଞ୍ଚ ଦେବା। ପରିବାରର ଯତ୍ନ ନେବା ସହ ଦୈନନ୍ଦିନ ଜୀବନର ଅନେକ ଦାୟିତ୍ୱକୁ ସଫଳତାର ସହ ତୁଲାଉଥିବା ମହିଳାଙ୍କ ଦକ୍ଷତାକୁ ଏହି ସୋ’ ମାଧ୍ୟମରେ ସାମ୍ନାକୁ ଅଣାଯିବ।
ଏହି କାର୍ଯ୍ୟକ୍ରମରେ ଦୁଇଟି ବୟସ ବର୍ଗର ବିବାହିତା ମହିଳା ଅଂଶଗ୍ରହଣ କରିବେ। ୨୦ରୁ ୩୦ ବର୍ଷ ବୟସର ପ୍ରତିଯୋଗୀଙ୍କୁ ‘ସାନ ଭାଉଜ’ ଏବଂ ୩୧ରୁ ୪୦ ବର୍ଷ ବୟସର ପ୍ରତିଯୋଗୀଙ୍କୁ ‘ବଡ଼ ଭାଉଜ’ ଭାବେ ଉପସ୍ଥାପନ କରାଯିବ।
ରୋଷେଇ, ଝୋଟି, ପୂଜାପାଠ, ଅତିଥି ସତ୍କାର, ଘରୋଇ ବଜେଟ୍ ପରିଚାଳନା ଓ ପାରିବାରିକ ସମସ୍ୟାର ସମାଧାନ ଭଳି ବିଭିନ୍ନ ବିଷୟକୁ ନେଇ ଏଥିରେ ଆକର୍ଷଣୀୟ ପ୍ରତିଯୋଗିତା ରହିବ। ଏଥିସହ ଆଧୁନିକ ଜୀବନଶୈଳୀରେ ଏକାଧିକ ଦାୟିତ୍ୱକୁ ଏକାସାଙ୍ଗରେ ତୁଲାଇବାର ଦକ୍ଷତା ମଧ୍ୟ ପରଖାଯିବ।
ଏହି ସୋ’ର ଅନ୍ୟତମ ଆକର୍ଷଣ ହେଉଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ବିଭିନ୍ନ ଖେଳ ଓ କାର୍ଯ୍ୟକଳାପ। ଏହା କାର୍ଯ୍ୟକ୍ରମକୁ ଆଧୁନିକ ଓ ଅଧିକ ଆକର୍ଷଣୀୟ କରିବା ସହ ପ୍ରତିଯୋଗୀଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି।
‘ଗୃହଲକ୍ଷ୍ମୀ’ରେ ବିଚାରକ ଭାବେ ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଓ ଅଭିନେତା ପୁପିନ୍ଦର ନଜର ଆସିବେ। ସେହିପରି ମେଣ୍ଟର ଭାବେ ଅନିଶା ମହାକୁଡ଼ ଓ ପିଙ୍କି ପ୍ରଧାନ ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ କରିବେ। ଆଙ୍କର ଲୋରିଆ ମହାନ୍ତି କାର୍ଯ୍ୟକ୍ରମର ଉପସ୍ଥାପନା କରିବେ।
ଏହି ନୂଆ ପ୍ରୟାସ ସମ୍ପର୍କରେ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି ଯେ, ‘ଗୃହଲକ୍ଷ୍ମୀ’ ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ମହିଳାଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ସମର୍ପଣ ପ୍ରତି ଜୀ-ସାର୍ଥକର ଏକ ସମ୍ମାନ। ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ଆଧୁନିକତା ସହ ତାଳ ଦେଇ ପରିବାର ଓ ନିଜ ସ୍ୱପ୍ନକୁ ଆଗକୁ ନେଉଥିବା ମହିଳାଙ୍କ ଭୂମିକାକୁ ଏହି ମଞ୍ଚରେ ଉପସ୍ଥାପନ କରାଯିବ।
ଏଥିସହ ସେ ଦର୍ଶକମାନଙ୍କୁ ପରିବାର ସହ ଏହି କାର୍ଯ୍ୟକ୍ରମ ଦେଖିବା ଏବଂ ନିଜ ଘରର ମହିଳାଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ତାଙ୍କ ମତରେ, ‘ଗୃହଲକ୍ଷ୍ମୀ’ କେବଳ ଏକ ରିଆଲିଟି ସୋ’ ହୋଇ ରହିବ ନାହିଁ; ବରଂ ଏହା ଓଡ଼ିଆ ଘରର ମହିଳାଙ୍କ ପାଇଁ ଏକ ନୂଆ ପରିଚୟ ଓ ପ୍ରେରଣାର ମଞ୍ଚ ହୋଇପାରିବ।
ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଉଥିବା ଅନେକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ମହିଳାଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସକୁ ନୂଆ ପରିଚୟ ଦେବା ହେଉଛି ଏହି କାର୍ଯ୍ୟକ୍ରମର ବାର୍ତ୍ତା।
‘ଯିଏ ମନ କିଣେ, ଆଉ ଦୁନିଆ ଜିଣେ, ସେଇ ଆମ ଗୃହଲକ୍ଷ୍ମୀ’—ଏହି ଆହ୍ୱାନ ସହ ଜୀ-ସାର୍ଥକର ନୂଆ ରିଆଲିଟି ସୋ’ ‘ଗୃହଲକ୍ଷ୍ମୀ’ ଦର୍ଶକଙ୍କ ପାଇଁ ଆଣିବାକୁ ଯାଉଛି ମନୋରଞ୍ଜନ ସହ ଓଡ଼ିଆ ଘରର ମହିଳାଙ୍କ ପ୍ରତିଭା ଓ ଅବଦାନକୁ ସମ୍ମାନ ଜଣାଇବାର ଏକ ସ୍ୱତନ୍ତ୍ର ଅବସର।

