ଭୁବନେଶ୍ୱର, ନିରପେକ୍ଷ ଖବର, ୯ ଅକ୍ଟୋବର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିବେ। ଯୁବସମାଜ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମାଜସେବା ଓ ରାଷ୍ଟ୍ର ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ତ୍ୟାଗ, ସେବା, ଦେଶପ୍ରେମ ଓ ସାହିତ୍ୟ ସାଧନାକୁ ସ୍ମରଣ କରିଥିଲେ। ଗୋପବନ୍ଧୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଜାତୀୟ ଚେତନା, ଓଡ଼ିଆ ଅସ୍ମିତା ଓ ମାନବସେବାର ଏକ ମହାନ୍ ପ୍ରତୀକ ବୋଲି ସେ କହିଥିଲେ।

ଗୋପବନ୍ଧୁଙ୍କ ଆଦର୍ଶକୁ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସମାଜର ଗରିବ, ଅବହେଳିତ ଓ ଅସହାୟ ଲୋକଙ୍କ ସେବା କରିବା ସହ ବିକାଶର ସୁଫଳ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ହେଉଛି ତାଙ୍କର ପ୍ରମୁଖ ଆଦର୍ଶ। ଏହି ଚିନ୍ତାଧାରାକୁ ଆଧାର କରି ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।
ଏଥିମଧ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ପାଞ୍ଚ କିଲୋଗ୍ରାମ ଚାଉଳ ପ୍ରଦାନ ଭଳି ପଦକ୍ଷେପ ରହିଛି। ଏହା ସହ ମଧୁବାବୁ ପେନସନ୍ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଓଡ଼ିଆ ଅସ୍ମିତା ଭବନ ପ୍ରତିଷ୍ଠା, ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଉନ୍ନତିକରଣ, ୯୦ କୋଟି ଟଙ୍କା ବ୍ୟୟରେ ବକୁଳ ବନର ପୁନର୍ବିକାଶ ଏବଂ ଗୋପବନ୍ଧୁଙ୍କ ଜନ୍ମମାଟି ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିବା ସେ କହିଥିଲେ।
ସମାରୋହରେ ଏକାମ୍ର ବିଧାୟକ ବାବୁ ସିଂ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଗୋପବନ୍ଧୁଙ୍କ ଆଦର୍ଶ ଓ ସମାଜସେବା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।
ବକ୍ତାମାନେ କହିଥିଲେ, ଆଧୁନିକ ସମୟରେ ମଧ୍ୟ ଗୋପବନ୍ଧୁଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ରହିଛି। ତାଙ୍କର ନିଷ୍କାମ ସେବା ମନୋଭାବକୁ ଆପଣାଇ ସମାଜର ଗରିବ, ଅସହାୟ ଓ ନିଷ୍ପେଷିତ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ବହୁ ଅତିଥି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

