କଟକ, ନିରପେକ୍ଷ ଖବର: ତା ୧୦/୧୦ କ୍ରମାଗତ ଭାବେ ବଦଳୁଥିବା ଅପରାଧର ସ୍ୱରୂପ ଓ ଆଧୁନିକ ଆହ୍ୱାନର ମୁକାବିଲା ପାଇଁ ପୁଲିସକୁ ବୈଜ୍ଞାନିକ ତଦନ୍ତ, ଆଧୁନିକ ଜ୍ଞାନକୌଶଳ ଓ ବୃତ୍ତିଗତ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ସାଇବର ଅପରାଧ, ଆର୍ଥିକ ଠକେଇ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ ଚୋରା କାରବାର ଭଳି ଅପରାଧର ମୁକାବିଲା ପାଇଁ ପୁଲିସର ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ଏହି ମତ ପ୍ରକାଶ ପାଇଛି।
ଉଦ୍ଯାପନୀ ସମାରୋହରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆକର୍ଷଣୀୟ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ବିଭିନ୍ନ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।

ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ପୁଲିସ ବୃତ୍ତିଗତ ପ୍ରତିଯୋଗିତା କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ସେମାନଙ୍କ ଦକ୍ଷତା ଓ କାର୍ଯ୍ୟକୁଶଳତାର ବିକାଶରେ ସହାୟକ ହୋଇଥାଏ। କର୍ମଚାରୀଙ୍କ ପରିଶ୍ରମ ଓ ନିଷ୍ଠାକୁ ସ୍ୱୀକୃତି ମିଳିଲେ ସେମାନେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିଥାନ୍ତି।
ପରିବାରଠାରୁ ଦୂରରେ ରହି ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପୁଲିସ କର୍ମଚାରୀମାନେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କ ସେବା, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରଶଂସନୀୟ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏଥିସହ ଏକ ନିଶାମୁକ୍ତ, ଅପରାଧମୁକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଅନ୍ୟପକ୍ଷରେ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଥିଲେ ଯେ, ଏହି ପ୍ରତିଯୋଗିତା କେବଳ ଏକ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ତଦନ୍ତର ମାନ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ।
ଫରେନ୍ସିକ୍ ବିଜ୍ଞାନ, ଆଧୁନିକ ବୈଷୟିକ ଜ୍ଞାନ ଓ ବୈଜ୍ଞାନିକ ତଦନ୍ତ ପଦ୍ଧତିର ପ୍ରୟୋଗ ଦ୍ୱାରା ଅପରାଧୀଙ୍କୁ ଚିହ୍ନଟ କରିବା ସହ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହାର ବୃଦ୍ଧି କରାଯାଇପାରିବ। ଘଟଣାସ୍ଥଳରୁ ସଠିକ୍ ପ୍ରମାଣ ସଂଗ୍ରହ ଓ ତାହାର ବୈଜ୍ଞାନିକ ବିଶ୍ଳେଷଣ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିଥାଏ ବୋଲି ସେ ମତ ଦେଇଥିଲେ।
ଚଳିତ ବର୍ଷ ବିଭିନ୍ନ ଜିଲ୍ଲା ଓ ପୁଲିସ ପ୍ରତିଷ୍ଠାନରୁ କନଷ୍ଟେବଳଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ ମୋଟ ୩୧୯ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ଫରେନ୍ସିକ୍ ବିଜ୍ଞାନ, ଫରେନ୍ସିକ୍ ମେଡିସିନ୍ ଓ ଟକ୍ସିକୋଲୋଜି, ଫିଙ୍ଗରପ୍ରିଣ୍ଟ, ଫଟୋଗ୍ରାଫି, କମ୍ପ୍ୟୁଟର ସଚେତନତା, ସାଇବର ଅପରାଧ, ବୈଷୟିକ ନିରୀକ୍ଷଣ, ଅପରାଧିକ ଆଇନ ଓ ପ୍ରକ୍ରିୟା, ଘଟଣାସ୍ଥଳ ନିରୀକ୍ଷଣ, ପ୍ରମାଣ ସଂଗ୍ରହ, ପ୍ୟାକିଂ ଓ ପ୍ରେରଣ ଭଳି ବିଭିନ୍ନ ବିଷୟ ସ୍ଥାନ ପାଇଥିଲା।
ଏହି ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ଗଠିତ ଓଡ଼ିଶା ପୁଲିସ ଦଳ ସର୍ବଭାରତୀୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ।
ଡିଜିପି ଆହୁରି କହିଥିଲେ ଯେ, ମହିଳା ଓ ଶିଶୁଙ୍କ ସମ୍ପର୍କିତ ସମ୍ବେଦନଶୀଳ ମାମଲା, ବିଶେଷକରି ପୋକ୍ସୋ ମାମଲାର ତଦନ୍ତରେ ଉନ୍ନତ ପଦ୍ଧତି ଓ ପେଶାଗତ ଦକ୍ଷତାର ଗୁରୁତ୍ୱ ରହିଛି। ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଆୟୋଜନ କରାଯାଉଛି। ଆଗାମୀ ଦିନରେ ନୂତନ ପ୍ରଶିକ୍ଷଣ ମଡ୍ୟୁଲ୍ ମାଧ୍ୟମରେ ଏହି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଏହା ପୁଲିସର ତଦନ୍ତ ଦକ୍ଷତା ବଢ଼ାଇବା ସହ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଆଇଜିପି, କ୍ରାଇମବ୍ରାଞ୍ଚ ଡକ୍ଟର ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଯାପନୀ ସମାରୋହରେ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

