ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୫: ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିନଳୀରେ “ପଂଚମ ପାଳିର ୪ ବର୍ଷ ବିଜେଡ଼ି ସରକାର” ପ୍ରସଙ୍ଗରେ ପିସିିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ଉଦ୍ବୋଧନ ଦେଇ କହିଛନ୍ତି ଯେ, ଏହି ୪ ବର୍ଷ ଶାସନରେ ବିଜେଡ଼ି ଉପକୃତ ହୋଇଥିବା ସ୍ଥଳେ ଓଡ଼ିଶା ଉପେକ୍ଷିତ ହୋଇଛି ।
ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ୪ ବର୍ଷ ପୁର୍ତି ଉପଲକ୍ଷେ ବିଜେଡ଼ିକୁ କଂଗ୍ରେସ ତରଫରୁ ଅଭିନନ୍ଦନ ଜଣାଇଥିଲେ । ଇତିମଧ୍ୟରେ ପଂଚାୟତ, ପୌର ତଥା ଉପନିର୍ବାଚନରେ ବିଜୟ ଲାଭ କରିଥିବାରୁ ବିଜେଡ଼ି ଉଲ୍ଲସିତ ହେବା ସ୍ୱଭାବିକ । କିନ୍ତୁ ଓଡ଼ିଶାବାସୀଙ୍କ ସ୍ଥିତି କ’ଣ? କ’ଣ ରାଜ୍ୟର ସ୍ଥିତି? ରାଜ୍ୟସ୍ଥିତି ସଂପର୍କରେ ଅବତାରଣା କରି ଶ୍ରୀ ବେହେରା ଇଣ୍ଡିଆ ଟୁଡ଼େ ଓ ନିତି ଆୟୋଗର ସଦ୍ୟ ରିପୋର୍ଟ ଉଦ୍ଧାର କରିଥିଲେ । ଇଣ୍ଡିଆ ଟୁଡ଼େର ରାଜ୍ୟମାନଙ୍କ ମଧ୍ୟରେ ରାଜ୍ୟର ରିପୋର୍ଟ ଅନୁସାରେ ଓଡ଼ିଶା ଉଚ୍ଚ ପ୍ରଦର୍ଶନ କରିଥିବା ୧୭ ରାଜ୍ୟ ମଧ୍ୟରେ ୧୬ ସ୍ଥାନରେ, କୃଷି କ୍ଷେତ୍ରରେ ୨୦ ରାଜ୍ୟ ମଧ୍ୟରେ ୧୪, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୩, ଆଇନ ଶୃଙ୍ଖଳା କ୍ଷେତ୍ରରେ ୧୪, ଭିତିଭୂମି ସଂରଚନା କ୍ଷେତ୍ରରେ ୧୦ ଓ ସମଭିତିକ ବିକାଶ କ୍ଷେତ୍ରରେ ୧୬ ସ୍ଥାନରେ ଦର୍ଶାଯାଇଛି । ଅନୁରୂପ ଭାବରେ ନିତି ଆୟୋଗର ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ ଇନୋଭେସନ ଇଣ୍ଡେକ୍ସରେ ଓଡ଼ିଶା ସ୍ଥାନ ୧୭ ରାଜ୍ୟ ମଧ୍ୟରୁ ୧୬ ଓ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୪, ଏଇ ତ ଆମର ପାରଦର୍ଶିତା ।
ଶ୍ରୀ ବେହେରା ‘ବିଫଳ ପ୍ରତିଶ୍ରୁତି’ର ତାଲିକା ଦେଇ ଅଭିଯୋଗ କରି କହିଥିଲେ, ରାଜ୍ୟ ସରକାର ସମସ୍ତ ନିଅଂଟିଆ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ ସୃଷ୍ଟି କରିବାର ପ୍ରତିଶ୍ରୁତି ୫ ବର୍ଷରେ ଦେଇଥିଲେ ମଧ୍ୟ ୧୮ ବର୍ଷ ବିତିଗଲା କିନ୍ତୁ ଆହୁରି ୩୨ ବ୍ଲକ ରହିଗଲା । ପ୍ରତିବର୍ଷ ୧ ଲକ୍ଷ ନିଯୁକ୍ତି ଦେବାକୁ କହି ୨୩ ବର୍ଷ ମଧ୍ୟରେ ୨୩ ଲକ୍ଷ ନିଯୁକ୍ତି ପାଣିରେ ଗାର ହେଲା । ଛଟେଇ ହେଲା ଏବଂ ଏଥିସାଙ୍ଗକୁ ସରକାରୀ ଖାଲିଥିବା ପଦବୀ ୨୦୧୯ ରେ ୧ ଲକ୍ଷ ୩୧ ଥିବା ସ୍ଥଳେ ଏବେ ବଢ଼ି ୨ ଲକ୍ଷ ୩୬ ହଜାରରେ ପହଂଚିଥିଲା । ପ୍ରତି ପଂଚାୟତରେ ଶୀତଳ ଭଣ୍ଡାର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପଂଚାୟତ ପରିବର୍ତେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବୀ ଦାବିରେ ରହିଗଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ବିଶେଷଜ୍ଞ ପଦବୀ ସଂଖ୍ୟା ୩୭୪୪ ପଦବୀ ଖାଲି ପଡ଼ିଛି । ଆଜି ଏଣ୍ଡିଆନ ଏକ୍ସପ୍ରେସ ନିୟୁଜି ଅନୁସାରେ ମେଡ଼ିକାଲ କମିଶନ କଟକ ଏସ୍ସିବି ମେଡ଼ିକାଲ କଲେଜକୁ ଖାଲି ସ୍ଥାନ ୩୦ ଦିନ ମଧ୍ୟରେ ପୂରଣ ନ କଲେ ସ୍ୱୀକୃତି ପ୍ରତ୍ୟାହାର କରିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହି ତ ସରକାରଙ୍କ ପାରିବା ପଣ ?
ଆଇନ୍ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଗଣେଶ୍ୱର ବେହେରା ପୋଲିସ୍ ବିଫଳତାର ଉଦାହରଣ ଦେଇ କହିଥିଲେ ଯେ, ମହିଳା ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ଦ୍ୱିତୀୟ । ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶା ଦୈନିକ ୯ ଟି ଧର୍ଷଣ ଓ ଗଣଧର୍ଷଣ ମାମଲା ରୁଜୁ ହୋଇଥିବା ସ୍ଥଳେ ବର୍ଷକୁ ୯ ଜଣଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇନାହିଁ । ରାଜ୍ୟର କ୍ରାଇମ୍ ବ୍ରାଂଚ କ୍ରାଇମ୍ ପ୍ରୋଟେକ୍ସନ ବ୍ରାଂଚରେ ପରିଣତ ହୋଇଛି । ଡିସେମ୍ବର ୨୦ ରେ ଗୋବିନ୍ଦ ସାହୁ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ୍ରେ ମୃତ୍ୟୁବରଣ କଲେ । ତା’ ହତ୍ୟା ନା ଆତ୍ମହତ୍ୟା କ୍ରାଇମ୍ ବ୍ରାଂଚ ୫ ମାସ ମଧ୍ୟରେ ନିର୍ଣ୍ଣୟ କରିପାରିଲା ନାହିଁ । ନବଦାସ ହତ୍ୟାକାଣ୍ଡର ଚାର୍ଜସିଟ୍ ପଢ଼ିଲେ ସ୍ୱଭାବିକ ଧାରଣା ହେବ ଯେ, ସରକାର ଅପରାଧିମାନଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେଉଛନ୍ତି । ସୁତରାଂ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । କିନ୍ତୁ ସରକାର ଉଦାସିନ, ଆଇନ୍କୁ ଆଇନ୍ ବାଟରେ ଯିବାକୁ ଦିଆଯାଉନାହିଁ ।
ସ୍ୱଚ୍ଛ ଉତରଦାୟୀ ଶାସନର ଡେଙ୍ଗୁରା ପିଟୁଥିବା ବିଜେଡ଼ି ସରକାରର ଅସଲ ମୁଖା ସର୍ବୋଚ୍ଚ ନ୍ୟାୟାଳୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ଖୋଲି ଦେଇଛନ୍ତି । ମାନ୍ୟବର ନ୍ୟାୟାଳୟ ଅତ୍ୟନ୍ତ କଠୋର ଭାବରେ ଭର୍ଚ୍ଛନା କରି ରାଜ୍ୟ ସରକାର ଅବିଚାରିତ ଭାବେ ନିଷ୍ପତି ନେବା, ସମ୍ବିଧାନର ଧାରା ୧୪ର ଉଲଘଂନ କରିବା, ସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରିବା ସହ ବେଦାନ୍ତ କଂପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟ ସ୍ୱାର୍ଥକୁ ବିକି ଦେଇଛନ୍ତି । ପୃଷ୍ଠା ପରେ ପୃଷ୍ଠାର ମନ୍ତବ୍ୟ ଉପସ୍ଥାପନା କରି ଭ୍ରଷ୍ଟାଚାରର ଆରୋପ କରିଥିଲେ । ଶ୍ରୀଯୁକ୍ତ ବେହେରା ସମାଲୋଚନା କରି କହିଥିଲେ ଯେ, ୪ ବର୍ଷ ପୂର୍ତିରେ ବିଜେଡ଼ି ଦଳ ଓ ସରକାରର ଉଲ୍ଲାସ ମନୋଜ ଦାସଙ୍କ ଭାଷାରେ “ଅରଣ୍ୟ ଉଲ୍ଲାସ” ବ୍ୟତିତ କିଛି ନୁହେଁ । ଓଡ଼ିଶାବାସୀ ଠିକ୍ ସମୟରେ ଠିକ୍ ବିଚାର କରିବେ ବୋଲି ସେ ଆଶବ୍ୟକ୍ତ କରିଥିଲେ ।
ଏହି ସମ୍ମିଳନୀରେ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଉଦ୍ବୋଧନ ରଖି କହିଥିଲେ ଯେ, ୨୪ ବର୍ଷର କ୍ରମାଗତ ନବୀନ ସରକାର ଓଡ଼ିଶାବାସୀଙ୍କ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ କୌଣସି ପ୍ରତିଶ୍ରୁତି ପାଳନ ହେଲାଭଳି ଲାଗୁନାହିଁ । ଗୋଟିଏ ରାଜ୍ୟର ସର୍ବଶ୍ରେଷ୍ଠ ସମ୍ଭଳ ହେଉଛି ମାନବ ସମ୍ଭଳ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବିଡ଼ମ୍ବନାର ବିଷୟ ଏହି ୨୪ ବର୍ଷର ଶାସନ ବ୍ୟବସ୍ଥାରେ ଓଡ଼ିଶାରେ ପ୍ରାଥମିକ, ମାଧ୍ୟମିକ ଓ ହାଇସ୍କୁଲ ଶିକ୍ଷା ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଭୁଷୁଡ଼ି ପଡ଼ୁଛି । ୬୨ ହଜାର ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ପୂରଣ ନ ହୋଇ ପଡ଼ିରହିଛି । ସେହିଭଳି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶତକଡ଼ା ୫୦ ରୁ ୬୦ ଭାଗ ଅଧ୍ୟାପକ, ରିଡ଼ର ଓ ପ୍ରଫେସର ପଦବୀରେ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଅଧୋଗତି କାହିଁକି? ୨୩ ବର୍ଷ ଭିତରେ ଶିକ୍ଷା ବ୍ୟବସ୍ଥାର ବ୍ୟବସାୟିକରଣ ବହୁ ପରିମାଣରେ ବୃଦ୍ଧି ଘଟିଛି । ସରକାର ନିଜ ଦାୟିତ୍ୱରୁ ହଟି ଯାଇଛନ୍ତି । ଓଡ଼ିଶାର ପ୍ରତ୍ୟେକ ବାସହୀନ ବ୍ୟକ୍ତିଙ୍କୁ ୨୦୧୭ ମସିହା ସୁଧା ପକ୍କା ଘର ଯୋଗାଇ ଦେବା ପାଇଁ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମୋ କୋଡ଼ିଆ ଯୋଜନା, ବିଜୁ ପକ୍କା ଘର ଯୋଜନା ଏବଂ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ରାଜ୍ୟ ସରକାର କରିଥିଲେ । ୨୦୨୩ ମସିହା ପରେ ମଧ୍ୟ ଆଜି ସମସ୍ତଙ୍କୁ ଛାତ ଘରେଟିଏ ମିଳିଲା ନାହିଁ । ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ବେସ୍ ଜଳ ଜଳ ହୋଇ ଦେଖାଯାଉଛି । ରାଜ୍ୟରେ ୪୫ ହଜାରରୁ ଅଧିକ ଷ୍ଟାପ ନର୍ସ, ପାରାମେଡ଼ିକ୍ ଓ ଅନ୍ୟାନ୍ୟ ପଦବୀ ପଡ଼ିରହୁଛି । ରାଜ୍ୟର କୃଷକର ଆୟ ଦୈନିକ ୨୭ ଟଙ୍କାରୁ କମ୍ । ୨୦୧୨ ମସିହା ପାଖରୁ ଆଜି ପର୍ଯ୍ୟନ୍ତ କୃଷକ ପରିବାରର ମାସିକ ଆୟ ୧୦ ଟଙ୍କା ବି ବୃଦ୍ଧି ଘଟିନି । ଯଦି ୭୦ ଭାଗ ଲୋକ ଯଦି ଆୟ ବୃଦ୍ଧି ଘଟୁ ନାହିଁ, ତେବେ ରାଜ୍ୟ କିଭଳି ପ୍ରଗତି କରିଛି ।
