ଭୁବନେଶ୍ୱର, ନିରପେକ୍ଷ ଖବର, ୧୧/୦୫/୨୬ :
ରାଜ୍ୟରେ ଦିନକୁ ଦିନ ବଢୁଥିବା ହିଂସାକାଣ୍ଡକୁ ନେଇ ବିଜେଡି ପକ୍ଷରୁ ବିଜେପି ସରକାରଙ୍କୁ କଡା ସମାଲୋଚନା କରାଯାଇଛି । ଗତ ୨୪ ଘଣ୍ଟାରେ ଘଟିଥିବା ବିଭିନ୍ନ ଜଘନ୍ୟ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେଇଛି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ସରକାର ଆଇନର ଶାସନ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଥିଲେ ।
ଡ଼. ଲେନିନ ମହାନ୍ତି କହିଥିଲେ ଯେ, ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଯୋଗୁଁ ଗତ ଏକ ସପ୍ତାହ ମଧ୍ୟରେ ଢେଙ୍କାନାଳ, ହିଞ୍ଜିଳି, କଣାସ, ବାଲିଅନ୍ତା ଓ ବାଲିପାଟଣା ଭଳି ଅଞ୍ଚଳରେ ଜଘନ୍ୟ ଘଟଣା ଘଟିଛି । ସରକାରୀ ସ୍ତରରେ ନିଷ୍କ୍ରିୟତା ଯୋଗୁଁ ପୋଲିସ ବ୍ୟବସ୍ଥା ଦୁର୍ବଳ ହୋଇପଡିଥିବା ବେଳେ ପୋଲିସ ଥାନାଗୁଡିକ ବିଜେପିର କାର୍ଯ୍ୟାଳୟରେ ପରିଣତ ହୋଇଛି ବୋଲି ସେ କହିଥିଲେ ।
ଇପ୍ସିତା ସାହୁ କହିଥିଲେ ଯେ, ବର୍ତ୍ତମାନ ବିଜେପି ସରକାରରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି । ସାଧାରଣ ଜନତା ଅସୁରକ୍ଷିତ ଅନୁଭବ କରୁଥିବା କଥା ଡିଜିପି ସ୍ୱୀକାର କରିଥିବା ସେ କହିଥିଲେ ।
ସେ ଆହୁରି କହିଥିଲେ ଯେ, ରାୟଗଡାରେ ଜଣେ ଦଳିତ ଯୁବକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ନୟାଗଡ଼ ଓଡଗାଁରେ ପଥର ମାଫିଆଙ୍କ ବିରୋଧ କରିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମହାକାଳପଡା ଖରିନାସୀରେ ସଂଘବଦ୍ଧ ଆକ୍ରମଣ, ସୋରରେ ମହିଳା ହତ୍ୟା ଓ ପୁରୀରେ ମହିଳା କନେଷ୍ଟବଳଙ୍କୁ ଅପହରଣ ଉଦ୍ୟମ ଭଳି ଘଟଣା ରାଜ୍ୟର ଆଇନ ଶୃଙ୍ଖଳାର ଦୟନୀୟ ଚିତ୍ର ପ୍ରଦର୍ଶନ କରୁଛି ।
ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଇପ୍ସିତା ସାହୁ ସତର୍କ କରିଛନ୍ତି ।


