କିଟ୍ ଓ ଆଇଜିଏନ୍ସିଏ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
କଳା, ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ସହ ଗବେଷଣାକୁ ମିଳିବ ଗୁରୁତ୍ୱ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୮/୧୦ : କଳା, ସଂସ୍କୃତି ଓ ଭାରତୀୟ ଐତିହ୍ୟ ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନ୍ସିଏ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଆଇଜିଏନ୍ସିଏର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ଏବଂ କିଟ୍ର କୁଳପତି ପ୍ରଫେସର ଶରଣଜିତ୍ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ସହଯୋଗ ଅଧୀନରେ ଐତିହାସିକ ଦସ୍ତାବିଜର ଡିଜିଟାଇଜେସନ୍, ମିଳିତ ଗବେଷଣା ଓ ଶିକ୍ଷାଗତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହ ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।
କାର୍ଯ୍ୟକ୍ରମରେ କିଟ୍ ଓ ଆଇଜିଏନ୍ସିଏର ବରିଷ୍ଠ ଅଧିକାରୀଙ୍କ ସମେତ କିଟ୍ ଆର୍ଟ ଏକାଡେମୀର ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ ଉପସ୍ଥିତ ଥିଲେ।

