ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୩୦/୦୪ ଆଜି ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିବେଶନକୁ ନଜରରେ ରଖି ବିଧାନସଭା ଓ ସଂଲଗ୍ନ ଅଞ୍ଚଳକୁ ପୋଲିସ ଛାଉଣିରେ ପରିଣତ କରାଯାଇଛି।
ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବାବେଳେ, ଅଧିବେଶନ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ଼ ଓ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି।

ଡିସିପି ସୁରକ୍ଷା ତଦାରଖର ଦାୟିତ୍ୱରେ ଥିବାବେଳେ, ତାଙ୍କ ଅଧୀନରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ଏସଆଇ ଓ ଏଏସଆଇମାନେ ନିଯୁକ୍ତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଥିବା ସହ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି।
କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ପ୍ରତ୍ୟେକ ଦିଗ ଉପରେ ନଜର ରଖାଯାଇ ସ୍ଥିତିକୁ ନିୟନ୍ତ୍ରଣ କରାଯିବ। ବିଧାନସଭା ପରିସର ଓ ଆଖପାଖ ଅଞ୍ଚଳରେ ବ୍ୟାରିକେଡିଂ କରାଯାଇଥିବାବେଳେ, ଲୋୟର ପିଏମଜି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ।
ସମ୍ପୂର୍ଣ୍ଣ ଅଧିବେଶନ ସମୟରେ ବିଧାନସଭା ଅଞ୍ଚଳ ପୋଲିସ ପ୍ରଶାସନର କଡ଼ା ନଜର ମଧ୍ୟରେ ରହିବ।

