ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ
ମିଲିଶାଉଟିର ସମ୍ମାନସୂଚକ ନାଗରିକତା, ବାର୍ଲାଡ୍ର ‘କି ଟୁ ଦି ସିଟି’ ଓ ‘ଲିଡର ଅଫ୍ ଦି ଇୟର’ ସମ୍ମାନ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା, ସାମାଜିକ ବିକାଶ, ମାନବସେବା ଓ ଅନୁଷ୍ଠାନ ଗଠନ କ୍ଷେତ୍ରରେ ତାଙ୍କ ଦୀର୍ଘକାଳୀନ ଅବଦାନ ପାଇଁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି।
ରୋମାନିଆ ଗସ୍ତ ଅବସରରେ ଶ୍ରୀ ସାମନ୍ତଙ୍କୁ ମିଲିଶାଉଟି ସହରର ସମ୍ମାନସୂଚକ ନାଗରିକତା ଏବଂ ବାର୍ଲାଡ୍ ସହରର ‘କି ଟୁ ଦି ସିଟି’ ସମ୍ମାନ ପ୍ରଦାନ କରାଯାଇଛି। ଉଭୟ ସହରର ମେୟରଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ ପ୍ରଦାନ ସମାରୋହରେ ସହର ପରିଷଦର ସଦସ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରୋମାନିଆସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡ. ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ରୋମାନିଆର ଦୁଇଟି ସହରରୁ ଏଭଳି ସମ୍ମାନ ପାଇବାରେ ଶ୍ରୀ ସାମନ୍ତ ପ୍ରଥମ ଓଡ଼ିଆ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ମିଲିଶାଉଟିର ସମ୍ମାନସୂଚକ ନାଗରିକତାକୁ ସହର ପକ୍ଷରୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ସେହିପରି ‘କି ଟୁ ଦି ସିଟି’ ହେଉଛି ୟୁରୋପୀୟ ପରମ୍ପରା ସହ ଜଡ଼ିତ ଏକ ପ୍ରତୀକାତ୍ମକ ସମ୍ମାନ।
ଏହାସହ ବୁଖାରେଷ୍ଟରେ ଆୟୋଜିତ ୩୪ତମ ସିମାନ ବାର୍ଷିକ ସମ୍ମିଳନୀରେ ଶ୍ରୀ ସାମନ୍ତଙ୍କୁ ‘ଲିଡର ଅଫ୍ ଦି ଇୟର–୨୦୨୬’ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସାମାଜିକ ବିକାଶ, ମାନବୀୟ ସେବା ଓ ପ୍ରତିଷ୍ଠାନ ଗଠନ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ପୁରସ୍କାର ଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ ଚେସ୍ ମହାସଂଘ ଫିଡେ ପକ୍ଷରୁ ମଧ୍ୟ ଶ୍ରୀ ସାମନ୍ତଙ୍କୁ **‘ଏଡୁକେସନ୍ ଫିଲାନ୍ଥ୍ରପିକ୍ ଆୱାର୍ଡ’**ରେ ସମ୍ମାନିତ କରାଯାଇଛି। ଉଜବେକିସ୍ତାନରେ ଆୟୋଜିତ ୪୬ତମ ଫିଡେ ଚେସ୍ ଅଲିମ୍ପିଆଡ୍ ଓ କଂଗ୍ରେସ୍ ଅବସରରେ ଆୟୋଜିତ ‘ଚେସ୍ ଇନ୍ ଏଡୁକେସନ୍’ ସମିଟ୍ରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଫିଡେର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଶ୍ୱନାଥନ ଆନନ୍ଦ ଓ ଫିଡେ ମ୍ୟାନେଜମେଣ୍ଟ ବୋର୍ଡର ଉପାଧ୍ୟକ୍ଷା ଡାନା ରେଜନିଏସ୍କେ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଫିଡେ, କିଟ୍ ଓ କିସ୍ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଚେସ୍ର ପ୍ରସାର ନେଇ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି।
ସେହିପରି କୋସୋଭୋର ପ୍ରିଷ୍ଟିନାରେ ଅନୁଷ୍ଠିତ ୪୫ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶ୍ରୀ ସାମନ୍ତଙ୍କୁ ‘ମଦର ଟେରେସା ଆୱାର୍ଡ’, ପ୍ରିଷ୍ଟିନା ଏଏବି ୟୁନିଭର୍ସିଟି କଲେଜ ପକ୍ଷରୁ ‘ପ୍ରଫେସର ଅନୋରିସ୍ କଜା’, ‘ସିଟି ଅଫ୍ ପେଜା’ ପକ୍ଷରୁ ସ୍ୱୀକୃତି ସମ୍ମାନ ଏବଂ ବିଶ୍ୱ କବି ସମ୍ମିଳନୀର ସଭାପତିଙ୍କ ପଦକ ସମେତ ଚାରିଟି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ଅନ୍ତର୍ଜାତୀୟ ସମ୍ମାନଗୁଡ଼ିକ ପାଇଁ ଶ୍ରୀ ସାମନ୍ତ ରୋମାନିଆବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମିଲିଶାଉଟିରେ ମିଳିଥିବା ଆତ୍ମୀୟତା ଓ ଉଷ୍ମ ସ୍ୱାଗତ ତାଙ୍କୁ ଭାବବିହ୍ୱଳ କରିଥିବା ସେ କହିଛନ୍ତି।

