ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ: ଖୁବଶୀଘ୍ର ପାଇଲଟ୍ ମଡେଲ
୫ଟି ରାମ୍ପରେ ଦର୍ଶନ କରିବେ ଭକ୍ତ, ଘଣ୍ଟାକୁ ୮–୧୦ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା ଲକ୍ଷ୍ୟ
ଭୁବନେଶ୍ୱର,ନିରପେକ୍ଷ ଖବର: ୨୪/୦୮/୨୬: ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା।

ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ବିଭିନ୍ନ ମଡେଲ ଉପସ୍ଥାପନ କରାଯାଇଥିଲା। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ କିଭଳି ସୁନିଶ୍ଚିତ କରାଯାଇପାରିବ, ସେନେଇ ମଡେଲଗୁଡ଼ିକର ବିସ୍ତୃତ ଅନୁଧ୍ୟାନ କରାଯାଇଥିଲା।
ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ଭକ୍ତମାନେ ୫ଟି ପୃଥକ ରାମ୍ପ ମାଧ୍ୟମରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ଏହାଦ୍ୱାରା ଶ୍ରୀମନ୍ଦିରର ସାତ ପାହାଚ ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବା ସହ ଭକ୍ତମାନଙ୍କୁ ସୁବ୍ୟବସ୍ଥିତ ଭାବେ ମନ୍ଦିର ଭିତରକୁ ପ୍ରବେଶ କରାଇବା ସମ୍ଭବ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରତି ଘଣ୍ଟାରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି ଲକ୍ଷ୍ୟ ରହିଛି।
ଏଥିସହ ନାଟମଣ୍ଡପ ଅଞ୍ଚଳରେ ଭକ୍ତଙ୍କ ସୁବିଧା ପାଇଁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି। ବିଶେଷକରି ଛୁଟି ଓ ପର୍ବପର୍ବାଣୀ ସମୟରେ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରସ୍ତାବିତ ମଡେଲର ବାସ୍ତବ କାର୍ଯ୍ୟକାରିତା ଯାଞ୍ଚ ପାଇଁ ଖୁବଶୀଘ୍ର ଏକ ପାଇଲଟ୍ ମଡେଲ ପ୍ରସ୍ତୁତ କରାଯିବ। ପାଇଲଟ୍ ମଡେଲକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ସଂଶୋଧନ ସହ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ବୈଠକରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଆଇନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ.କେ. ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

