ସମ୍ବଲପୁର,ନିରପେକ୍ଷ ଖବର:ତା ୩୦/୦୪: ସମ୍ବଲପୁର ପୋଲିସ ପକ୍ଷରୁ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଏବଂ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିଥିଲେ। ସେହିସହିତ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ।
ନିଜ ଅଭିଭାଷଣରେ ଡିଜିପି ଶ୍ରୀ ଖୁରାନିଆ କହିଥିଲେ, ପୋଲିସ ବାହିନୀ ପାଇଁ କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତାର ମାଧ୍ୟମ ନୁହେଁ, ବରଂ ଶୃଙ୍ଖଳା, ସାହସ, ଦୃଢ଼ତା ଓ ସମାଜସେବାରେ କାର୍ଯ୍ୟକୁଶଳତା ବିକାଶର ମୂଳ ଆଧାର। ସେ କହିଥିଲେ ଯେ, ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ରାଜ୍ୟର ଗୌରବ ବଢ଼ାଇଛନ୍ତି।

ସେ ଆହୁରି କହିଥିଲେ ଯେ, ନିକଟରେ ଉତ୍ତରାଖଣ୍ଡର ତେହେରିରେ ଆୟୋଜିତ ୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟରରେ ଓଡ଼ିଶା ପୋଲିସ ୯ଟି ପଦକ ଜିତିଥିବାବେଳେ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡ଼ାରେ ୨୦ଟି ପଦକ ହାସଲ କରିଛି। ଏହି ସଫଳତା ଅନ୍ୟ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବାଟାଲିୟନରୁ ମୋଟ ୧୪୧ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ।
ଫଳାଫଳ:
କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍ରେ ୮ମ ଏସଆଇଆର ବାଟାଲିୟନ, ଭଞ୍ଜନଗର ଚାମ୍ପିୟନ ହୋଇଥିବାବେଳେ କୋରାପୁଟ ଜିଲ୍ଲା ଦ୍ୱିତୀୟ ଏବଂ ୫ମ ବାଟାଲିୟନ, ବାରିପଦା ତୃତୀୟ ସ୍ଥାନ ଅଧିକାର କରିଛି।
ସନ୍ତରଣ ଚାମ୍ପିୟନସିପ୍ରେ ସମ୍ବଲପୁର ଦଳ ଶୀର୍ଷ ସ୍ଥାନ ଦଖଲ କରି ଚାମ୍ପିୟନ ହୋଇଥିବାବେଳେ ଓଆଇଏସଏଫ, ଭୁବନେଶ୍ୱର ରନର୍ସଅପ୍ ଏବଂ ଓଏସଏପି ୬ଷ୍ଠ ବାଟାଲିୟନ, କଟକ ତୃତୀୟ ସ୍ଥାନ ହାସଲ କରିଛି।
ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣ ଥିଲେ କନଷ୍ଟେବଳ ଅଶୋକ ଦଣ୍ଡସେନା। ସେ କ୍ରସ୍ କଣ୍ଟ୍ରି ବିଭାଗରେ ମାତ୍ର ୩୦ ମିନିଟ୍ ୪୪ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ନୂତନ ‘ମିଟ୍ ରେକର୍ଡ’ ସୃଷ୍ଟି କରିଥିଲେ।
ଉଦଯାପନୀ ସମାରୋହରେ ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଡିଆଇଜି ଶ୍ରୀ ଦାଲିପ ସିଂ, ଡିଆଇଜି ଶ୍ରୀ ସଞ୍ଜୟ କୁମାର ସିଂ, ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ବ୍ରିଜେଶ ରାୟ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସଏମସି କମିଶନର ଶ୍ରୀ ରେହାନ ଖେତ୍ରୀ, ଝାରସୁଗୁଡା ଏସପି ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

