ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪ ଜୟପୁରରେ ଆୟୋଜିତ ପ୍ରତିଷ୍ଠିତ ‘ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବାଜାର’ (GITB)-ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ପର୍ଯ୍ୟଟନ ଉନ୍ନୟନ, ନବସୃଜନ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟର ସଫଳ ପଦକ୍ଷେପ ପାଇଁ ଏହି ସ୍ୱୀକୃତି ମିଳିଛି।
ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ୀକରଣ, ନୀତିଗତ ସହାୟତା ଓ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାରରେ ନିରନ୍ତର ପ୍ରୟାସ ପାଇଁ ଓଡ଼ିଶାକୁ “ଆଉଟଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁସନ୍ ଇନ୍ ଟୁରିଜିମ୍ ଡେଭଲପ୍ମେଣ୍ଟ” ବର୍ଗରେ ଟ୍ରାଭେଲ୍ ଆଣ୍ଡ ଟୁରିଜିମ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି।

ଏହା ସହିତ, ଓଡ଼ିଶା ପର୍ଯ୍ୟଟନ ପାଭିଲିୟନର ଆକର୍ଷଣୀୟ ଡିଜାଇନ୍, ଆଧୁନିକ ଉପସ୍ଥାପନା ଓ ସୃଜନଶୀଳ ପରିକଳ୍ପନା ପାଇଁ ‘ପବ୍ଲିକ ସେକ୍ଟର’ ବର୍ଗରେ ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର ମଧ୍ୟ ମିଳିଛି।
ଏହି ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାରୁ ୧୧ ଜଣ ସହ-ପ୍ରଦର୍ଶକ ଅଂଶଗ୍ରହଣ କରିଥିଲେ। ସେଥିରେ ଟୁର୍ ଅପରେଟର୍, ହସ୍ପିଟାଲିଟି ଷ୍ଟେକହୋଲ୍ଡର ଓ ପର୍ଯ୍ୟଟନ ସେବା ପ୍ରଦାନକାରୀମାନେ ସାମିଲ ଥିଲେ। ସେମାନେ ଓଡ଼ିଶାର ବଜାର-ଉପଯୋଗୀ ପର୍ଯ୍ୟଟନ ସମ୍ଭାବନାକୁ ସମ୍ମିଳିତ ଭାବେ ପ୍ରଦର୍ଶନ କରିଥିଲେ।
ଓଡ଼ିଶା ପାଭିଲିୟନ ଆନ୍ତର୍ଜାତୀୟ କ୍ରେତା, ବିଦେଶୀ ଟୁର୍ ଅପରେଟର୍ (FTOs) ଏବଂ ଡେଷ୍ଟିନେସନ୍ ମ୍ୟାନେଜମେଣ୍ଟ କମ୍ପାନୀ (DMCs) ମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ୧୨୦ରୁ ଅଧିକ G2B ବୈଠକ ଓ ରଣନୀତିକ ନେଟୱର୍କିଂ ଅଧିବେଶନ ମାଧ୍ୟମରେ ରାଜ୍ୟ ନିଜର ଐତିହ୍ୟ, ଆଧ୍ୟାତ୍ମିକ, ଉପକୂଳ, ଇକୋ ଏବଂ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱମଞ୍ଚରେ ଉପସ୍ଥାପନ କରିଛି।
ନିକଟରେ ସଂଶୋଧିତ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୬’ ଅନୁସାରେ ରାଜ୍ୟ ବିଶ୍ୱସ୍ତରୀୟ ଭ୍ରମଣ ଓ MICE (Meetings, Incentives, Conferences and Exhibitions) କ୍ଷେତ୍ରରେ ନିଜର ପ୍ରସ୍ତୁତିକୁ ମଧ୍ୟ ଉପସ୍ଥାପନ କରିଛି। ଏହି ନୀତିର ଲକ୍ଷ୍ୟ ହେଉଛି ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାକୁ ପ୍ରତିଯୋଗୀ ତଥା ପୁଞ୍ଜିନିବେଶକ-ଅନୁକୂଳ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅଂଶଗ୍ରହଣକାରୀମାନେ ବିଭିନ୍ନ ଆନ୍ତର୍ଜାତୀୟ ବ୍ୟବସାୟୀଙ୍କ ସହ ଏକାଧିକ ସଫଳ ବ୍ୟବସାୟିକ ବୈଠକ କରିଥିଲେ। ଏହା ଫଳରେ ଭବିଷ୍ୟତରେ ନୂତନ ସହଯୋଗ ଓ ଭାଗିଦାରୀର ଦ୍ୱାର ଖୋଲିବାକୁ ଯାଉଛି।
ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କ ମତାନୁସାରେ, ଏହି ସଫଳତା ଓଡ଼ିଶାର ବିଶ୍ୱସ୍ତରୀୟ ଦୃଶ୍ୟମାନତା ବଢ଼ାଇବା ସହ ବିଦେଶୀ ଟୁର୍ ଅପରେଟର୍ମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ସେହିପରି ଆସନ୍ତା ଅକ୍ଟୋବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ଓଡ଼ିଶା ଟ୍ରାଭେଲ୍ ବାଜାର’-ର ୭ମ ସଂସ୍କରଣ ପାଇଁ ଏହା ଏକ ରଣନୀତିକ ପୂର୍ବ ପ୍ରସ୍ତୁତି ଭାବେ କାର୍ଯ୍ୟ କରିବ।
ରାଜ୍ୟକୁ ଅଧିକ ବିଦେଶୀ ପର୍ଯ୍ୟଟକ ଓ ପୁଞ୍ଜିନିବେଶ ଆକର୍ଷଣ କରିବାରେ ଏହି ସଫଳତା ମାଇଲସ୍ଟୋନ୍ ସାବିତ ହେବ ବୋଲି ଆଶା ପ୍ରକାଶ ପାଇଛି।

