ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୬/୦୭/୨୬
ପୁଣି ଚର୍ଚ୍ଚାରେ କମିଶନରେଟ୍ ପୋଲିସ୍। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ହଠାତ୍ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ତେବେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ତାଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ। ସରକାର ଏହି ପ୍ରସଙ୍ଗକୁ ନେଇ ବିଚାରବିମର୍ଶ କରୁଥିବା ସୂଚନା ମଧ୍ୟ ମିଳିଛି।
୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନା ପୂର୍ବରୁ ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ନିଭାଇଥିଲେ। ଏହା ସହ କଟକ ଅର୍ବନ ପୋଲିସ୍ ଜିଲ୍ଲାର ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିଛି ଗଣ ମାଧ୍ୟମରେ ପ୍ରକାଶ ପାଇଥିବା
ସୂତ୍ର ଅନୁସାରେ, ସେ ବେସରକାରୀ କ୍ଷେତ୍ରରେ ନୂଆ ସୁଯୋଗ ଖୋଜୁଥିବା ନେଇ ଚର୍ଚ୍ଚା ହେଉଛି। ରାଜସ୍ଥାନରେ ଥିବା ତାଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ କମ୍ପାନୀରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ଏନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ।
ଏପଟେ, ଏହି ନିଷ୍ପତ୍ତି ଏମିତି ଏକ ସମୟରେ ଆସିଛି, ଯେତେବେଳେ ବାଲିଅନ୍ତାରେ ରେଳ କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ କମିଶନରେଟ୍ ପୋଲିସ୍ ସମାଲୋଚନାର ସମ୍ମୁଖୀନ ହୋଇଛି।
ତେବେ ଜଗମୋହନ ମୀନାଙ୍କ ଏହି ହଠାତ୍ ଇସ୍ତଫା ପଛରେ କେବଳ ବ୍ୟକ୍ତିଗତ କାରଣ ରହିଛି କି, ନା ଅନ୍ୟ କିଛି କାରଣ ରହିଛି, ତାହା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସମସ୍ତଙ୍କ ନଜର ଏବେ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ।

