ଭୁବନେଶ୍ୱର,ନିରପେକ୍ଷ ଖବର: ତା :୨୬ /୧୧ ଜନଗଣର ନେତା ତଥା ଓଡ଼ିଶାର ଜଣେ ବିଶିଷ୍ଟ ଜନନାୟକ ବୀରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ସମ୍ବିଧାନ ଦିବସ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ଓ ବୀରେନ ମିତ୍ର ଫାଉଣ୍ଡେସନ, କଟକଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ବିମଳ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ରାଜାରାମ ଶତପଥୀ ଏବଂ ବୀରେନ ମିତ୍ର ଫାଉଣ୍ଡେସନର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଶ୍ରୀ ସତ୍ୟକାମ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥିବୃନ୍ଦ ଓ ସଭାସଦ୍ମାନଙ୍କୁ ସ୍ୱାଗତ ଜଣାଇଥିଲେ।କାର୍ଯ୍ୟକ୍ରମରେ ଅତିଥିମାନେ ବୀରେନ ମିତ୍ରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ, ଜନସମ୍ପର୍କ ଏବଂ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଜଣେ ଜନନେତା ଭାବେ ସାଧାରଣ ଲୋକଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଓ ଜନକଲ୍ୟାଣ ପ୍ରତି ତାଙ୍କର ଆନ୍ତରିକତା ତାଙ୍କୁ ଜନମାନସରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କର ଜୀବନ ଓ କାର୍ଯ୍ୟଧାରା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ଶ୍ରୀ ବିମଳ ପ୍ରସାଦ ଦାସ ନିଜ ଅଭିଭାଷଣରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୂଳ ଆଦର୍ଶ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବିଧାନ ହେଉଛି ଦେଶର ଶାସନ ବ୍ୟବସ୍ଥାର ମୂଳ ଆଧାର। ଏହା ପ୍ରତ୍ୟେକ ନାଗରିକଙ୍କୁ ସମାନତା, ସ୍ୱାଧୀନତା, ନ୍ୟାୟ ଓ ମର୍ଯ୍ୟାଦାର ଅଧିକାର ପ୍ରଦାନ କରିବା ସହ ଏକ ଦାୟିତ୍ୱପୂର୍ଣ୍ଣ ନାଗରିକ ସମାଜ ଗଠନ ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଶ୍ରୀ ଦାସ ନିଜ ବକ୍ତବ୍ୟ ରେ ବୀରେନ ମିତ୍ର କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନଥିଲେ, ସେ ଥିଲେ ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ଅଧିକାରର ଏକ ପ୍ରତୀକ। ତାଙ୍କର ଜୀବନ ଓ କର୍ମ ଆମକୁ ଶିଖାଏ ଯେ ଜଣେ ପ୍ରକୃତ ଜନନେତାଙ୍କ ପରିଚୟ ତାଙ୍କ ପଦବୀରେ ନୁହେଁ, ବରଂ ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା, ସେବାଭାବ ଓ ତ୍ୟାଗରେ ନିହିତ ରହିଥାଏ।ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ରାଜାରାମ ଶତପଥୀ ନିଜ ବକ୍ତବ୍ୟରେ ଗଣତନ୍ତ୍ରର ସୁଦୃଢ଼ୀକରଣରେ ଜନସଚେତନତା, ସାମ୍ବାଦିକତା ଓ ନାଗରିକଙ୍କ ସକ୍ରିୟ ଭାଗୀଦାରିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ବିଧାନର ମୂଳ ଆଦର୍ଶକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଜନନେତା ବୀରେନ ମିତ୍ରଙ୍କ ସ୍ମୃତିଚାରଣ କରି ଶ୍ରୀ ଶତପଥୀ କହିଥିଲେ ଯେ, ବୀରେନ ମିତ୍ର ଜଣେ ଜନସମର୍ପିତ ଓ ଲୋକାଭିମୁଖୀ ନେତା ଥିଲେ। କ୍ଷମତାରେ ରହିଥିଲେ ମଧ୍ୟ ସେ ସାଧାରଣ ଲୋକଙ୍କ ସମସ୍ୟା, ଆବଶ୍ୟକତା ଓ ଆକାଂକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିଲେ। ଜନସାଧାରଣଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଏବଂ ସେମାନଙ୍କ ହିତ ପାଇଁ ନିରନ୍ତର କାର୍ଯ୍ୟ କରିବାର ମନୋଭାବ ତାଙ୍କୁ ଜଣେ ଅନନ୍ୟ ଜନନେତା ଭାବେ ପରିଚିତ କରାଇଥିଲା। ତାଙ୍କ ଜୀବନାଦର୍ଶ ଓ ଜନସେବାର ନିଷ୍ଠା ଆଜି ମଧ୍ୟ ସମାଜ ଓ ରାଜନୈତିକ ଜୀବନ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିଛି ବୋଲି ଶ୍ରୀ ଶତପଥୀ ଅଭିମତ ପ୍ରକାଶ କରିଥିଲେ।ବୀରେନ ମିତ୍ର ଫାଉଣ୍ଡେସନର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ବୀରେନ ମିତ୍ରଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ କରି ତାଙ୍କର ସ୍ମୃତି ଓ ଅବଦାନକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ଦିଗରେ ଫାଉଣ୍ଡେସନର ଭୂମିକା ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶ ଓ ସାମାଜିକ ଅବଦାନକୁ ସ୍ମରଣ କରିବା ଦ୍ୱାରା ସମାଜରେ ସେବା, ସମର୍ପଣ ଓ ଦାୟିତ୍ୱବୋଧର ଭାବନା ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ବୀରେନ ମିତ୍ରଙ୍କୁ ଏକାଧାରାରେରେ ଜଣେ ସ୍ୱାଧିନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସମାଜ ସଂସ୍କାରକ ଭାବେ ଅଭିହିତ କରିଥିଲେ।ମୁଖ୍ୟ ବକ୍ତା ପ୍ରଫେସର ଶ୍ରୀ ସତ୍ୟକାମ ମିଶ୍ର ନିଜ ଅଭିଭାଷଣରେ ସମ୍ବିଧାନର ଐତିହାସିକ ପୃଷ୍ଠଭୂମି, ଏହାର ମୂଳ ଦର୍ଶନ ଏବଂ ଭାରତୀୟ ଗଣତନ୍ତ୍ରର ବିକାଶରେ ଏହାର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଦେଶର ସାମାଜିକ, ରାଜନୈତିକ ଓ ନୈତିକ ଜୀବନର ଏକ ମୂଳ ମାର୍ଗଦର୍ଶିକା ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ବିଧାନର ପ୍ରସ୍ତାବନାରେ ଉଲ୍ଲେଖିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ପ୍ରତ୍ୟେକ ନାଗରିକ ନିଜ ଜୀବନରେ ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ।ସେହିପରି,ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବୀରେନ ମିତ୍ର ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମାଜସେବୀ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ, ସମାଜସେବୀ ତଥା କଟକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ ଏବଂ ଅଲିମ୍ପିକ୍ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ବୀରେନ ମିତ୍ର ଫାଉଣ୍ଡେସନ୍ ର ସମ୍ପାଦକ ଅମିତ ମିତ୍ର ଧନ୍ୟବାଦ ଦେଇଥିଲେ।ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଓ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।


