ଭୁବନେଶ୍ୱର,ନିରପେକ୍ଷ ଖବର: ତା /୨୯/୦୪: ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ସୁସଂଗଠିତ ଓ ଗୁଣାତ୍ମକ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ମେ’ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବର୍ଗ ଆୟୋଜିତ ହେବ।
ଏହା ପୂର୍ବରୁ ରାଜ୍ୟର ୧୦୫୨ଟି ମଣ୍ଡଳରେ ପ୍ରଶିକ୍ଷଣ ବର୍ଗ ସଫଳତାର ସହ ସମାପ୍ତ ହୋଇଥିବା ବେଳେ, ଏବେ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଯାଉଛି। ଏହି ଅଭିଯାନରେ କାର୍ଯ୍ୟକର୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଓ ରାଜନୈତିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଏହି ପ୍ରଶିକ୍ଷଣ ବର୍ଗରେ ବିଭିନ୍ନ ରାଜନୈତିକ ବିଷୟ, ସାମ୍ପ୍ରତିକ ପରିସ୍ଥିତି, ସଂଗଠନ ମଜବୁତିକରଣ ସହ ଅଞ୍ଚଳ ଉନ୍ନୟନ ଉପରେ ଆଲୋଚନା କରାଯିବ। କାର୍ଯ୍ୟକର୍ତାମାନଙ୍କର ଗୁଣାତ୍ମକ ମାନ ବୃଦ୍ଧି ଏହାର ମୂଳ ଲକ୍ଷ୍ୟ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶସ୍ତରୀୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମୟମଧ୍ୟରେ ସଫଳତାର ସହ କିପରି ସମାପ୍ତ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବ ଭାରତ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ।

