ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୩/୦୩ :
ଟୋକିଓ ବୈଶ୍ୱିକ ବିତ୍ତ ଫୋରମ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀମାନେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Surajଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଟୋକିଓରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ରୀ କହିଥିଲେ, “ଆମ ଛାତ୍ରଛାତ୍ରୀଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ବୈଶ୍ୱିକ ବିତ୍ତ ଫୋରମ୍ରେ ନବ ସୃଜନ ଓ ନୂତନ ଉଦ୍ୟମର ପ୍ରଦର୍ଶନ ମାଧ୍ୟମରେ ସେମାନେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି। ଉଚ୍ଚଶିକ୍ଷାରେ ଜେନେରାଲ୍ ଷ୍ଟ୍ରିମରେ ପଢୁଥିବା ଛାତ୍ରଛାତ୍ରୀମାନେ କେବଳ ଡିଗ୍ରୀ ପାଇଁ ନୁହେଁ, ବରଂ ସୃଜନଶୀଳ ଭାବନା ଦ୍ୱାରା ସମାଜର ସମସ୍ୟାର ସମାଧାନ ଖୋଜୁଛନ୍ତି।”
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଓ National University of Singaporeର ଏସିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଡିଜିଟାଲ ଫାଇନାନ୍ସ ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କର ସହଯୋଗରେ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା। ଏଥିରେ ୧୯୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ୟାପ୍ଷ୍ଟୋନ ପ୍ରକଳ୍ପରେ କାମ କରିଥିଲେ।
ଏଥିରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ୭ ଜଣିଆ ଦଳ ନିଜର ଫିନଟେକ୍ ପ୍ରକଳ୍ପ “TranchiFy – A Trust Based Working Capital Platform for Next-Generation SMEs” କୁ ଟୋକିଓ ବୈଶ୍ୱିକ ବିତ୍ତ ଫୋରମ୍ରେ ପ୍ରଦର୍ଶନ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ସହଜ ଭାବେ ବ୍ୟାଙ୍କ ଋଣ ପାଇପାରିବେ ଓ ବିତ୍ତୀୟ ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ ସରଳ କରାଯିବ।
ଏହି ଦଳରେ Ravenshaw Universityର ବି. ସିମ୍ରନ, ରାଜେଶ୍ୱରୀ ବେହେରା, ପୁଷ୍ପାଞ୍ଜଳି ବେହେରା, ମନୀଷା ଲେଙ୍କା, ସୌମ୍ୟ ରଞ୍ଜନ ବୈଥାଲୁ, Utkal Universityର ଶିବାଂଶୀ ନାୟକ ଏବଂ Salepur Autonomous Collegeର ଅର୍ନିବାଣ କର ଅନ୍ତର୍ଭୁକ୍ତ ଥିଲେ।
ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଦ୍ୱାରା ବିତ୍ତୀୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବ ସୃଜନ ଓ ଦକ୍ଷତା ବିକାଶ ପାଇଁ ବଡ଼ ସୁଯୋଗ ମିଳିଛି।
ପ୍ରକାଶଯୋଗ୍ୟ ଯେ, ଏହି ପ୍ରୋଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଶୀଘ୍ର ଆରମ୍ଭ ହେବ।

