ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩: କଳିଙ୍ଗ ଗୌରବ ଫାଉଣ୍ଡେସନ୍ (KGF) ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ “ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା” ବିଷୟରେ ଏକ ମେଗା କନକ୍ଲେଭ୍ ଆୟୋଜିତ ହେବ। କଳିଙ୍ଗ ଗୌରବ ପୁରସ୍କାର ଟ୍ରଷ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।
ଏହି କନକ୍ଲେଭ୍ରେ ୩୧ ଜଣ ଶିକ୍ଷକ, ୧୩ ଜଣ ଏନଜିଓ ସ୍ୱେଚ୍ଛାସେବକ ଏବଂ ୨୫ ଜଣ ମହିଳାଙ୍କୁ ରାଷ୍ଟ୍ର ଗଠନରେ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯିବ। ସହିତ “ଜାତୀୟ ମିଡିଆ କନକ୍ଲେଭ୍” ଏବଂ “I Woman of Substance Award 2026” ର ୧୩ତମ ସଂସ୍କରଣ ମଧ୍ୟ ଏହାର ଅଂଶ ରହିବ।

ଶନିବାର ଭୁବନେଶ୍ୱରର ଫରେଷ୍ଟ ପାର୍କ ସ୍ଥିତ ସୁଶ୍ରୁତ ହସ୍ପିଟାଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମହାସଚିବ ଡ଼ଃ ଚିଦାତ୍ମିକା ଖଟୁଆ କହିଥିଲେ ଯେ, ଏହି କନକ୍ଲେଭ୍ର ଲକ୍ଷ୍ୟ ହେଉଛି ରାଷ୍ଟ୍ର ଗଠନରେ ମହିଳାଙ୍କର ପରିବର୍ତ୍ତନମୂଳକ ଭୂମିକାକୁ ଉଜାଗର କରିବା ଓ ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହିତ କରିବା।
ସୂତ୍ର ଅନୁସାରେ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଜେପି ଜାତୀୟ ମୁଖପାତ୍ର ଡ଼ଃ ସମ୍ବିତ ପାତ୍ର ଓ ମନ୍ତ୍ରୀ ରବି ନାରାୟଣ ନାୟକ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ।
ଜାତୀୟ ମିଡିଆ କନକ୍ଲେଭ୍ର ଅଧ୍ୟକ୍ଷ ଡ଼ଃ ପବିତ୍ର ମୋହନ ସାମନ୍ତରାୟ, KGF ସଭାପତି ରୁଦ୍ରନାରାୟଣ ସାମନ୍ତରାୟ ଓ ସଂଯୋଜକ ଡ଼ଃ ରଜନୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଛନ୍ତି।
କଳିଙ୍ଗ ଗୌରବ ଫାଉଣ୍ଡେସନ୍ ପୂର୍ବରୁ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ, ଏହି ବର୍ଷ ମହିଳା ସଶକ୍ତିକରଣକୁ ପ୍ରାଥମ୍ୟ ଦେଇଛି।

