ଭୁବନେଶ୍ୱର, ନିରପେକ୍ଷ ଖବର: ତା ୩୨/୧୦
ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ ଓ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଓ ଦେଶପ୍ରେମରୁ ପ୍ରେରଣା ନେଇ ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଓ ସଂହତି ବଜାୟ ରଖିବାକୁ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ଏଥିସହ ଦେଶର ବିକାଶରେ ସମସ୍ତେ ନିଜ ନିଜର ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମୃଦ୍ଧ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଗଠନରେ ସମସ୍ତେ ସହଭାଗୀ ହେବାକୁ ମନ୍ତ୍ରୀ ଶ୍ରୀ ସୂରଜ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ପରେ ଆୟୋଜିତ ଏକତା ପଦଯାତ୍ରାରେ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ସମାଜସେବୀ, ସ୍ୱେଚ୍ଛାସେବୀଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ଦେଇଥିଲେ।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ସୁଦୀପ୍ତ ରାୟ ଏବଂ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

