ଭୁବନେଶ୍ୱର,ନିରପେକ୍ଷ ଖବର, ୩୦/୧୦: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଶତାଧିକ ଓସିଏସ୍ ମେନ୍ ପରୀକ୍ଷାର୍ଥୀ ଜଳବନ୍ଦୀ ହୋଇଥିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ। ବନ୍ୟା ପରିସ୍ଥିତିରେ ପରୀକ୍ଷା ଜାରି ରଖିବା ନିଷ୍ପତ୍ତିକୁ ଅନ୍ୟାୟ ଓ ଅମାନବୀୟ ବୋଲି ଅଭିହିତ କରିବା ସହ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଦଳ ଦାବି କରିଛି।
ଗୁରୁବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ଓପିଏସ୍ସି ପକ୍ଷରୁ ଆୟୋଜିତ ଓସିଏସ୍ ମେନ୍ ପରୀକ୍ଷା ଅକ୍ଟୋବର ୨୯ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଫଳରେ ଶତାଧିକ ପରୀକ୍ଷାର୍ଥୀଙ୍କ ସମେତ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ଅଞ୍ଚଳରେ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ନିଜ ଉଦ୍ୟମରେ ସ୍ଥାନୀୟ ବିଡିଓଙ୍କ ନିକଟରେ ପହଞ୍ଚିବାକୁ କହିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଇପ୍ସିତା ପ୍ରଶ୍ନ ଉଠାଇଛନ୍ତି। ବନ୍ୟା ପରିସ୍ଥିତିରେ ଫସିଥିବା ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସରକାର ଆବଶ୍ୟକ ତତ୍ପରତା ଦେଖାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ସହ ସେମାନଙ୍କ ପ୍ରତି ନ୍ୟାୟସଙ୍ଗତ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।
ସେହିପରି ବିଜୁ ଛାତ୍ର ଜନତା ଦଳର ଉପସଭାପତି ସୌମ୍ୟରଞ୍ଜନ ମହାପାତ୍ର କହିଛନ୍ତି ଯେ, ହଜାର ହଜାର ଯୁବକଯୁବତୀ ବର୍ଷ ବର୍ଷ ଧରି ପ୍ରସ୍ତୁତି କରି ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାମିଲ ହୋଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେପରି କୌଣସି ଯୋଗ୍ୟ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ।
ଏଥିପାଇଁ ରାଜ୍ୟ ସରକାର ଓ ଓପିଏସ୍ସି ତୁରନ୍ତ ବ୍ୟବହାରିକ ବିକଳ୍ପ ବ୍ୟବସ୍ଥା ଘୋଷଣା କରିବା ସହ ଆବଶ୍ୟକ ସ୍ଥଳେ ପରୀକ୍ଷା ସ୍ଥଗିତ ରଖିବା କିମ୍ବା ପୁନଃ ନିର୍ଘଣ୍ଟ କରିବାକୁ ସେ ଦାବି କରିଛନ୍ତି। ପରୀକ୍ଷାର୍ଥୀଙ୍କ ସୁରକ୍ଷା, ସ୍ୱାର୍ଥ ଓ ଭବିଷ୍ୟତକୁ ପ୍ରାଥମିକତା ଦେଇ ସରକାର ସମ୍ବେଦନଶୀଳତାର ସହ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

