ବାରିପଦା(ନିରପେକ୍ଷ ଖବର)ତା-୧୩/୦୭- ମୟୁରଭଞ୍ଜ ରାଜଵଂଶରେ ଆଉ ଏକ ପିଢ଼ିର ଅବସାନ ଘଟିଛି।ପ୍ରଜାବତ୍ସଳ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ମୟୁରଭଞ୍ଜ ସ୍ତବ୍ଧ ପାଲଟିଯାଇଛି। ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ସେ ଥିଲେ ଧର୍ମପତ୍ନୀ ତଥା ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା।ରାଜମାତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସବୁଠି ଶୋକର ଛାୟା ଖେଳିଯାଇଛି।ତାଙ୍କର ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତା ସହ ସାଧାରଣ ଜନତାଙ୍କର ବାରିପଦା ସ୍ଥିତ ବେଲଗଡ଼ିଆ ରାଜପ୍ରାସାଦରେ ଭିଡ଼ ଲାଗି ରହିଥିଲା।ମୃତ୍ୟୁ ବେଳକୁ ତାଙ୍କୁ ୯୩ବର୍ଷ ବୟସ ହୋଇଥିଲା।ରାଜମାତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ରବିବାର ରାତିରେ ପରଲୋକ ଘଟିଛି।୧୯୫୨ ମସିହାରେ ମୟୂରଭଞ୍ଜ ରାଜପରିବାରର ବଧୁ ସାଜିଥିଲେ। ତାଙ୍କ ସ୍ବାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ଦେହାନ୍ତ ଘଟିଥିଲା। ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମାତା ଅଟନ୍ତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ତାଙ୍କ ବିୟୋଗ ରେ ବିଭିନ୍ନ ମହଲରେ ଶୋକ ଖେଳି ଯାଇଛି। ମୟୂରଭଞ୍ଜର ରାଜମାତା ଙ୍କ ପରଲୋକ ପରେ ବେଲଗଡିଆ ରାଜପ୍ରାସାଦରେ ଚଣ୍ଡିପାଠ କାର୍ଯ୍ୟକ୍ରମ। ଚଣ୍ଡିପାଠ ପରେ ରାଜମାତାଙ୍କ ପାର୍ଥିବ ଶରୀରକୁ ରାଜପ୍ରାସାଦ ତଳକୁ ଅଣାଯିବ। ଅପରାହ୍ନରେ ପାର୍ଥିବ ଶରୀରକୁ ଶତ୍କାର କରାଯିବ ବୋଲି ଜଣାପଡିଛି। ବାରିପଦାର ଶଙ୍ଖପଟା ମଶାଣିରେ ଶତ୍କାର କରାଯିବ।

