ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୫ –ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସରେ ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ସଭାପତି ସଂକୁନା କହଁରଙ୍କ ପକ୍ଷରୁ ଏକ ଏକ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ
ପଟ୍ଟନାୟକ ଯୋଗଦେଇ ଏହି ମହାମାରୀ ସମୟରେ ହଇରାଣ, ହରକତ ହେଉଥିବା ଗରିବ ଲୋକ, ଛୋଟ
ପିଲା ଓ ମହିଳାଙ୍କୁ ରନ୍ଧା ଖାଦ୍ୟ ବାଂଟିଥିଲେ । ଏହି ଅବସରରେ ସଂକୁନା କହଁରଙ୍କ ଏତାଦୃଶ କାର୍ଯ୍ୟ ପାଇଁ
ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ଏହି କରୋନା ମହାମାରୀ ସମୟରେ ଯୁବକମାନେ ଯୋଦ୍ଧା ଭାବେ
ଆସି ଲୋକଙ୍କୁ ସାହାଯ୍ୟ କରିବା ଦରକାର ବୋଲି ପିସିସି ସଭାପତି ଆହ୍ୱାନ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସଂକୁନା କହଁର ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହେବାର ପ୍ରଥମ ଦିନରୁ ନିରବଚ୍ଛିନ୍ନ ଭାବେ ପ୍ରାୟ ୨ ମାସ ଧରି ଆଜି ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ସହିତ ମାସ୍କ ଓ ସାନିଟାଇଜର ଇତ୍ୟାଦି ଗରିବ ଲୋକଙ୍କୁ ବାଂଟି ଚାଲିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେହୁରା, ଶିବାନନ୍ଦ ରାୟ, କିଶୋର ଜେନା, ଦୀପକ କୁମାର ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ମହିଳା କଂଗ୍ରେସର ରାଜ୍ୟ ସଂପାଦିକା ମୁନି ଥାପ୍ପା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
