ଭୁବନେଶ୍ୱର, ନିରପେକ୍ଷ ଖବର: କିଟ୍ ଓ କିସ୍ ପରିଦର୍ଶନ କଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ। ଏହି ଅବସରରେ ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିବା ସହ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅନୁଷ୍ଠାନ ଦ୍ୱୟର ଅବଦାନ ସମ୍ପର୍କରେ ଅବଗତ ହୋଇଥିଲେ।
ଗସ୍ତ ଅବସରରେ କିଟ୍ ଲ ସ୍କୁଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ୍ ଲଳିତ ଆଇନ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଉଦବୋଧନ ଦେଇଥିଲେ। ନିଜ ବକ୍ତବ୍ୟରେ ସେ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ, ଆଇନ ବ୍ୟବସ୍ଥା ଏବଂ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିସହ ନ୍ୟାୟିକ କ୍ଷେତ୍ରରେ ନିଜର ଦୀର୍ଘ ଅଭିଜ୍ଞତା ଓ ଅନୁଭୂତିକୁ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ତାଙ୍କର ମାର୍ଗଦର୍ଶନ ଆଇନ ଶିକ୍ଷାର୍ଥୀଙ୍କୁ ନୂତନ ଦୃଷ୍ଟିକୋଣ ଦେବା ସହ ଭବିଷ୍ୟତରେ ନ୍ୟାୟିକ କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ପ୍ରେରଣା ଯୋଗାଇଥିଲା।
ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜଷ୍ଟିସ୍ ଲଳିତଙ୍କୁ ସ୍ୱାଗତ କରିବା ସହ କିଟ୍ ଲ ସ୍କୁଲ୍ର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ମୂଲ୍ୟବାନ ସମୟ ଦେଇଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଜଷ୍ଟିସ୍ ଲଳିତଙ୍କ ଜ୍ଞାନ, ଅଭିଜ୍ଞତା ଓ ମାର୍ଗଦର୍ଶନ ଆଇନ ଶିକ୍ଷା କ୍ଷେତ୍ରରେ ବେଶ୍ ଉପାଦେୟ ହେବ ବୋଲି ସେ କହିଥିଲେ।


