ଭୁବନେଶ୍ୱର, ନିରପେକ୍ଷ ଖବର, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱରସ୍ଥିତ ରେଳ ସଦନ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଏକତା ଶପଥ ପାଠ ସହ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ ସମସ୍ତେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଏହି ଶପଥ ମାଧ୍ୟମରେ ସଂକଳ୍ପ ନେଇଥିଲେ।
ଏହାପରେ ରେଳ ସଦନ ସମ୍ମୁଖରୁ ମହାପ୍ରବନ୍ଧକ ସବୁଜ ପତାକା ଦେଖାଇ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ପୂର୍ବ ତଟ ରେଳପଥର ବହୁ ଅଧିକାରୀ, କର୍ମଚାରୀ, ରେଳ ସୁରକ୍ଷା ବଳ (ଆରପିଏଫ୍) ଯବାନ, କ୍ରୀଡ଼ାବିତ୍ ଓ ବରିଷ୍ଠ ଅଧିକାରୀ ଉତ୍ସାହର ସହ ଯୋଗଦେଇଥିଲେ।
ଏହି ଅବସରରେ ରେଳପଥର ବିଭିନ୍ନ ବିଭାଗର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜାତୀୟ ଏକତା, ଅଖଣ୍ଡତା ଓ ସଂହତି ରକ୍ଷା ପାଇଁ ସାମୂହିକ ପ୍ରତିବଦ୍ଧତା ଦୋହରାଇଥିଲେ। ପୂର୍ବ ତଟ ରେଳପଥର କାର୍ମିକ ବିଭାଗ ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମର ଆୟୋଜନ ଓ ସଂଯୋଜନା କରାଯାଇଥିଲା।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱବୋଧକୁ ଉଜ୍ଜୀବିତ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।


