ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୦/୦୯ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଦଳ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି । କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଶ୍ରୀ ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଯଦି ଶ୍ରୀ ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ୱା ସମୟ ଦଳରେ କାର୍ଯ୍ୟ କରିଥିବା ଶ୍ରୀ ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି ।

