ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୪: ପ୍ରଖ୍ୟାତ ଶିକ୍ଷାବିତ୍ ଓ ସମାଜସେବୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ୍ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୭୫ତମ ସମାବର୍ତ୍ତନ ଉତ୍ସବରେ ଆଜି ଏହି ସମ୍ମାନ ତାଙ୍କୁ ଅର୍ପିତ ହୋଇଥିଲା।
ଏହା ସହିତ ଅଚ୍ୟୁତ ସାମନ୍ତଙ୍କ ସମ୍ମାନସୂଚକ ଡକ୍ଟରେଟ୍ ସଂଖ୍ୟା ୭୧କୁ ପହଞ୍ଚିଛି। ଶିକ୍ଷା ମାଧ୍ୟମରେ ସମାଜ ପରିବର୍ତ୍ତନ ଓ ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କର ଦୀର୍ଘଦିନର ଅବଦାନକୁ ସ୍ୱୀକାର କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଦିଆଯାଇଛି।

କର୍ଣ୍ଣାଟକର ରାଜ୍ୟପାଳ ଥାୱାରଚନ୍ଦ ଗେହଲୋଟ୍ ଏହି ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଏମ୍.ସି. ସୁଧାକର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଏସ୍.ଏସ୍. କିରଣ କୁମାର ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ଖାନ୍ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ପ୍ରାୟ ୮୦ ବର୍ଷର ପୁରୁଣା ଏହି ଶିକ୍ଷାନୁଷ୍ଠାନର ଶିକ୍ଷା ପରିଷଦ ଓ ପରିଚାଳନା ବୋର୍ଡ ପକ୍ଷରୁ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ ହୋଇଥିଲା, ଯାହାକୁ ରାଜ୍ୟପାଳଙ୍କ ଅନୁମୋଦନ ପରେ ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।
ସମ୍ମାନ ପ୍ରାପ୍ତି ପରେ ଅଚ୍ୟୁତ ସାମନ୍ତ କୃତଜ୍ଞତା ଜଣାଇ କହିଥିଲେ ଯେ, ପିଛଲା ତିନି ଦଶକ ଧରି ସେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଏହି ସମ୍ମାନ ତାଙ୍କୁ ଆହୁରି ଦୃଢ଼ତା ସହ କାମ କରିବାକୁ ପ୍ରେରିତ କରିବ ବୋଲି ସେ କହିଥିଲେ। ସେହିପରି, ଏହି ସଫଳତାକୁ କିଟ୍ ଓ କିସ୍ର ସମସ୍ତ କର୍ମଚାରୀଙ୍କୁ ଉତ୍ସର୍ଗ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।

