ଭୁବନେଶ୍ୱର,ନିରପେକ୍ଷ ଖବର ,୨୪ ମାର୍ଚ୍ଚ:
ଭାରତୀୟ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ କାର୍ଯ୍ୟ କରି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ କରି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଭାବେ ମୋଟ ୮୯୩୩ ଦିନ ଧରି ସେ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ନିଭାଇଛନ୍ତି।
ଏହି ଉପଲକ୍ଷେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଦୀର୍ଘ ସମୟର ଶାସନ ଅଭିଜ୍ଞତା ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
ଶ୍ରୀ ସାମଲ ଆହୁରି କହିଛନ୍ତି ଯେ, ୨୦୦୧ ମସିହାରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ୨୦୧୪ ପରେ ପ୍ରଧାନମନ୍ତ୍ରୀ ଭାବେ ସେ ନିରନ୍ତର ଭାବରେ ଦେଶ ସେବାରେ ନିୟୋଜିତ ରହିଛନ୍ତି। ତାଙ୍କର କଠୋର ପରିଶ୍ରମ, ନିଷ୍ଠା ଓ ସମର୍ପଣ ଦେଶର ପ୍ରଗତିରେ ମୂଳ ଭୂମିକା ନିଭାଇଛି।
ତାଙ୍କ ନେତୃତ୍ୱରେ ଭାରତ ଆଜି ଆତ୍ମନିର୍ଭରତା ଦିଗରେ ଦୃଢ଼ ପଦକ୍ଷେପ ନେଇଛି। ଅର୍ଥନୀତି, ପ୍ରତିରକ୍ଷା, କୃଷି ଓ ଔଷଧ ଉତ୍ପାଦନ ସହିତ ବିଭିନ୍ନ କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଦେଶବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ ସହିତ ବିଶ୍ୱ ମଞ୍ଚରେ ଭାରତର ସ୍ଥାନ ମଧ୍ୟ ମଜବୁତ ହୋଇଛି।
“ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ” ମନ୍ତ୍ରକୁ ଆଧାର କରି ପ୍ରଧାନମନ୍ତ୍ରୀ ଦେଶର ସମଗ୍ର ବିକାଶ ପାଇଁ କାମ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ଶେଷରେ ଶ୍ରୀ ସାମଲ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଆଗାମୀ ଦିନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏଭଳି ନୂତନ ଇତିହାସ ରଚନା କରୁନ୍ତୁ ବୋଲି ଆଶା ବ୍ୟକ୍ତ କରିଛନ୍ତି।


