ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫/୦୩ ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଓ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସକ, ବରିଷ୍ଠ ପୋଲିସ୍ ଅଧିକାରୀ, ଶିକ୍ଷାବିତ୍, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିଶୁ ଅଧିକାର ବିଶେଷଜ୍ଞମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, ଡିଜିଟାଲ୍ ପରିବେଶରେ ଶିଶୁମାନେ ସାଇବର ବିପଦର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର ମୁକାବିଲା ପାଇଁ ଆଇନ ପ୍ରୟୋଗକାରୀ ସଂସ୍ଥାମାନଙ୍କ ଭୂମିକା ଅତ୍ୟନ୍ତ ଦରକାରୀ। ସେ ଜଣାଇଥିଲେ ଯେ ରାଜ୍ୟରେ ୨୦ଟି ନୂତନ ସାଇବର ପୋଲିସ୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି ଏବଂ ୭୧ଟି ପୋଲିସ୍ ଷ୍ଟେସନ୍ରେ ‘ଶିଶୁ ଅନୁକୂଳ ସ୍ଥାନ’ (Friendly Corners) ଉନ୍ନତି କରାଯାଇଛି।
କ୍ରାଇମବ୍ରାଞ୍ଚ ଆରକ୍ଷୀ ମହାନିର୍ଦେଶକ ବିନୟତୋଷ ମିଶ୍ର କହିଥିଲେ ଯେ, ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ର ୧୨୫ ମିଲିୟନରୁ ବୃଦ୍ଧି ପାଇ ୨୦୨୧ରେ ୮୪୫ ମିଲିୟନରେ ପହଞ୍ଚିଛି। ସାଇବର ୱିଙ୍ଗର ‘ଚିଲଡ୍ରେନ୍ ଆଣ୍ଡ ୱିମେନ୍ ଅନଲାଇନ୍ ଆବ୍ୟୁଜ୍ ମନିଟରିଂ ୟୁନିଟ୍’ ପକ୍ଷରୁ ଅନଲାଇନରୁ କ୍ଷତିକାରକ ଓ ଅଶ୍ଳୀଳ ବିଷୟବସ୍ତୁ (CSEAM) ହଟାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।
ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଶାଇନି ଏସ୍. ଶିଶୁ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ନେଇ ସଚେତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ୟୁନିସେଫ୍ ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ କହିଥିଲେ ଯେ, ଶିଶୁମାନେ ଡିଜିଟାଲ୍ ଦୁନିଆର କେବଳ ବ୍ୟବହାରକାରୀ ନୁହଁନ୍ତି, ସେମାନେ ଶିକ୍ଷାର୍ଥୀ ଓ ସୃଷ୍ଟା ମଧ୍ୟ ଅଟନ୍ତି। ସେହିପରି ଡିଜିଟାଲ୍ ସୁରକ୍ଷା ଆଲୋଚନାର କେନ୍ଦ୍ରବିନ୍ଦୁରେ ଶିଶୁମାନଙ୍କ ସ୍ୱର ରହିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
ଆଲୋଚନାଚକ୍ରରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସିଦ୍ଧାନ୍ତ ହୋଇଥିଲା। ଏହା ଅନୁସାରେ ‘ରକ୍ଷା ସାଥୀ’ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ, ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀ (CWPO)ଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଓ ବିଦ୍ୟାଳୟ ପାଠ୍ୟକ୍ରମରେ ଡିଜିଟାଲ୍ ନିରାପତ୍ତା ଶିକ୍ଷା ଅନ୍ତର୍ଭୁକ୍ତ କରିବା ନେଇ ଆଲୋଚନା ହୋଇଥିଲା।
ପୋଲିସ୍ ଓ ଗଣଶିକ୍ଷା ବିଭାଗ ମିଳିତ ଭାବେ ଅଭିଭାବକ–ଶିକ୍ଷକ ବୈଠକ (PTM) ମାଧ୍ୟମରେ ଶିଶୁ ସୁରକ୍ଷା ସଚେତନତା ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା।


