ନୂଆଦିଲ୍ଲୀ,ନିରପେକ୍ଷ ଖବର: ତା:୧୪/୦୩ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ସମ୍ବନ୍ଧିତ ପ୍ରାୟ ୫୮୧.୬୫ କୋଟି ଟଙ୍କାର ୩୧ଟି ସ୍ଥାବର ସମ୍ପତ୍ତି ଜବତ କରାଯାଇଛି।
ଇଡିର ସୂଚନା ଅନୁଯାୟୀ, ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକ ମୁଖ୍ୟତଃ ଜମି ଓ ଅଚଳ ସମ୍ପତ୍ତି ଯାହା ଦେଶର ୧୩ଟି ରାଜ୍ୟରେ ଅବସ୍ଥିତ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଗୋଆ, କେରଳ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଉତ୍ତରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ରହିଛି।
FEMA ଓ PMLA ଅଧୀନରେ କାର୍ଯ୍ୟାନୁଷ୍ଠାନ
ଏହି କାର୍ଯ୍ୟାନୁଷ୍ଠାନ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କରାଯାଇଛି। ଇଡି ଅଭିଯୋଗ କରିଛି ଯେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ନିଆଯାଇଥିବା ଋଣର କିଛି ଅଂଶ ଅନିୟମିତ ଭାବେ ଅନ୍ୟ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ମୋଟ ଜବତ ସମ୍ପତ୍ତି ୧୬,୩୧୦ କୋଟି
ଇଡିର କହିବା ଅନୁଯାୟୀ, ଅନୀଲ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବିଭିନ୍ନ ବ୍ୟାଙ୍କ ଠକେଇ ମାମଲାରେ ମଧ୍ୟ ବହୁ ସମ୍ପତ୍ତି ଜବତ କରାଯାଇଥିଲା।
ଏହି ନୂତନ ଜବତ ସମ୍ପତ୍ତିକୁ ମିଶାଇଲେ ରିଲାଏନ୍ସ ଗ୍ରୁପ୍ ବିରୋଧରେ ଇଡି ନେଇଥିବା କାର୍ଯ୍ୟାନୁଷ୍ଠାନର ମୋଟ ମୂଲ୍ୟ ୧୬,୩୧୦ କୋଟି ଟଙ୍କାରେ ପହଞ୍ଚିଛି।
ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ୍
ଏହା ବ୍ୟତୀତ ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକ୍ଚର୍ ଲିମିଟେଡ୍ (R-Infra) ସମ୍ବନ୍ଧିତ ୧୩ଟି ବ୍ୟାଙ୍କ ଆକାଉଣ୍ଟରୁ ୭୭.୮୬ କୋଟି ଟଙ୍କା ଏବଂ ୨.୪୮ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍କୁ ମଧ୍ୟ ଫ୍ରିଜ୍ କରାଯାଇଛି।
ସିବିଆଇ ମାମଲା ଉପରେ ଆଧାରିତ ତଦନ୍ତ
ଏହି ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ଆଧାରିତ। ୟେସ୍ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ଅଭିଯୋଗ ଆସିଥିଲା।
ଅଭିଯୋଗ ଅନୁଯାୟୀ, RHFL ଏବଂ RCFL ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ପାଣ୍ଠି ସଂଗ୍ରହ କରିଥିଲେ। ତାହାରୁ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ଏନପିଏ (NPA) ରେ ପରିଣତ ହୋଇଥିବା ଅଭିଯୋଗ ରହିଛି। ଇଡି ତଦନ୍ତରେ ଏହି ଅର୍ଥକୁ କିଛି ଶେଲ୍ କମ୍ପାନୀ ମାଧ୍ୟମରେ ଅନ୍ୟତ୍ର ପଠାଯାଇଥିବା ସନ୍ଦେହ ପ୍ରକାଶ ପାଇଛି।


