ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨ ମାର୍ଚ୍ଚ: ବିଶ୍ୱ ଜଳଦିବସ ଅବସରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ନିୟମିତ ଭାବେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ।
ଏହି ଜଳଦାନ ସେବା ଏବେ ୧୪ତମ ବର୍ଷରେ ପ୍ରବେଶ କରିଥିବା ବେଳେ, ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।
ଉଦ୍ଘାଟନୀ ଅବସରରେ କମିଶନରେଟ୍ ପୋଲିସ୍ ଜୋନ୍-୧ର ଏସିପି ଶ୍ରୀ ରମେଶ ଚନ୍ଦ୍ର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଧାକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଓ ଯୁବକର୍ମୀ ସକ୍ରିୟ ଭାବେ ସହଯୋଗ କରିଥିଲେ।


