ବାରିପଦା (ନିରପେକ୍ଷ ଖବର) ତା ୨୭/୦୮ ଗତ ୨୫ ରାତିରେ ଲଘୁଚାପ ଜନୀତ ପ୍ରବଳ ବର୍ଷାରେ ୨୬ ତାରିଖରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା, ଜରାଳି, ସରାଳି, ଜମ୍ଭୀରା ଆଦି ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ବହୁ ଲୋକଙ୍କ ଘରେ ପାଣିପଶି ଯାଇଛି । ବହୁ କଚ୍ଚାଘର ଏପରିକି ବାରିପଦା ମଧୁବନ ରେ ଏକ ପକ୍କାଘର ମଧ୍ୟ ଭାଙ୍ଗି ପଡିଥିବାର ଜଣାଯାଇଛି । ଜିଲ୍ଲାର ମୋଟ ୧୪ ଟି ବ୍ଲକ ଓ ବାରିପଦା ପୌରାଂଚଳ ରେ ବନ୍ୟା ଜନୀତ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ଜିଲ୍ଲାପ୍ରସାଶନ ପକ୍ଷରୁ ପାକାପାଖି ୨୫୦୦ ଲୋକଙ୍କୁ ସ୍ତାନାନ୍ତର କରାଯାଇଥିଲା । ବହୁ ଲୋକ ଆପଣାଛାଏଁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯାଇଥିଲେ । ତେବେ ବେଘର ହୋଇ ଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିବା ବେଳେ, ବାରିପଦା ପୌରାଂଚଳରେ ରନ୍ଧାଖାଦ୍ୟ ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ କରା ଯାଇଥିବାର ଜଣାଯାଇଛି । ସରକାରୀ ଭାବରେ ପାଖାପାଖି ୪୦୦ଟି ବାସଗୃହ ବନ୍ୟା ଓ ବର୍ଷାରେ ଭାଙ୍ଗି ଯାଇଥିବାର ଆକଳନ କରାଯାଇଛି । ସେହିପରି ବହୁ ଚାଷ ଜମୀରେ ପାଣି ମାଡି ଯାଇଥିବାରୁ ବ୍ୟାପକ ଧାନ ଓ ଅଣଧାନ ଫସଲ ମଧ୍ୟ ନଷ୍ଟ ହୋଇଥିବାର ଜଣାଯାଇଛି । ଅନେକ ସ୍ଥାନରେ ଜଳ ଘେରରେ ଲୋକେ ରହିଥିବା ବେଳେ ଏବେବି ବହୁ ଚାଷଜମୀ ଜଳମଗ୍ନ ହୋଇ ରହିଛି । ପ୍ରସାଶନ ପକ୍ଷରୁ ବନ୍ୟାରେ ବାସଗୃହ ଭାଙ୍ଗି ଯାଇଥିବା ଲୋକଙ୍କୁ ପଲିଥିନ ଆଦି ଆଜି ପ୍ରଦାନ କରାଯାଉଥିବାର ଜଣାଯାଇଛି । ସେହିପରି ଅନେକ ସ୍ଥାନରେ ରାସ୍ତା ଓ ପୋଲ, ବନ୍ଧଆଡି ଆଦି ମଧ୍ୟ ଧୋଇହୋଇ ଯାଇଛି । କ୍ଷୟ କ୍ଷତିର ସବିଶେଷ ଆକଳନ କାର୍ଯ୍ୟ ଯୁଦ୍ଧକାଳିନ ଭିତିରେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଲୋକେ କିଭଳି ସହାୟତା ପାଇବେ ସେଦିଗରେ ଜିଲ୍ଲା ପ୍ରସାଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଜିଲ୍ଲା ପ୍ରସାଶନ ତତ୍ୱାବଧାନରେ ନିଜେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ବାରିପଦା ଉପ-ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ପ୍ରମୁଖ ବହୁ ଅଧିକାରୀ ବିଭିନ୍ନ ବନ୍ୟାଂଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିବେକା ନନ୍ଦ ସାହୁ ରାସଗୋବିନ୍ଦପୁର ବ୍ଲକର ପିଙ୍ଗୁଳି, ପଦ୍ମତାଳି, ଦୁଇଲପୁରା ଆଦି ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ପରିସ୍ଥିତି ଦେଖିବା ସହିତ ରିଲିଫ ମଧ୍ୟ ବନ୍ଟନ କରିଥିଲେ । ତାଙ୍କ ସହିତ ରାସଗୋବିନ୍ଦପୁର ବିଡିଓ, ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ସମନ୍ୱୀତ ଶିଶୁ ବିକାଶ ଯୋଜନା ଅଧିକାରୀ, ଆଇ.ସି.ଡି.ଏସ. ସୁପର ଭାଇଜର, ଅଙ୍ଗନୱାଡି କର୍ମୀ, ଜଳସେଚନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିିଥିବାର ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
[pj-news-ticker]