ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩
ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପଦାଧିକାରୀମାନେ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ରଣନୀତି ତୟାରି କରିଥିଲେ।
ବୈଠକରେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ୍ ବିଧାୟକ ବୀରେନ୍ଦ୍ର ସିଂ କାଡ଼ିଆନ୍ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ସହ ଜନସମସ୍ୟା ସହ ନିକଟ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ବର୍ତ୍ତମାନ ସରକାର ଉପରେ ଆକ୍ରୋଶ ପ୍ରକାଶ କରି କହିଥିଲେ ଯେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପୂରଣ ନ ହେବାରୁ ଜନତାଙ୍କ ଆସ୍ଥା କମିଛି। ଦୁର୍ନୀତି, ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିବାର ଅଭିଯୋଗ ମଧ୍ୟ ସେ ଉଠାଇଥିଲେ।
ଏହା ସହିତ ଆମ୍ ଆଦ୍ମୀ ପାର୍ଟିକୁ ଜନତାଙ୍କ ବିକଳ୍ପ ଭାବେ ଗଢି ତୋଳିବାକୁ ସମସ୍ତ ପଦାଧିକାରୀଙ୍କୁ ଆହ୍ୱାନ ଜଣାଯାଇଥିଲା।
ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ସହିତ ଅନ୍ୟାନ୍ୟ ନେତୃତ୍ୱ ମଣ୍ଡଳୀ ଯୋଗଦେଇଥିଲେ। କଟକର ଏସ୍ସିବି ମେଡିକାଲର ଅଗ୍ନିକାଣ୍ଡ, ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା ଓ ରନ୍ଧନ ଗ୍ୟାସ୍ ଅଭାବ ନେଇ ମଧ୍ୟ ବୈଠକରେ ଚିନ୍ତା ପ୍ରକାଶ କରାଯାଇଥିଲା।
ଆଗାମୀ ଦିନରେ ଏହି ସମସ୍ୟାଗୁଡ଼ିକୁ ନେଇ ଗ୍ରାମସ୍ତରରେ ଜନଜାଗରଣ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି।


