ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୫/୦୩ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶା ସରକାର ନୀଳ ଅର୍ଥନୀତିର ଉନ୍ନୟନ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳ ଅଞ୍ଚଳର ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ରୋଡମ୍ୟାପ୍ର ପ୍ରଧାନ ଲକ୍ଷ୍ୟ ରହିଛି।
ଏହି ସମିଟ୍ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଓଡ଼ିଶାର ବ୍ଲୁ ଇକୋନୋମି ପାଇଁ ଏହି ରଣନୀତିମୂଳକ ରୋଡମ୍ୟାପ୍ ଉନ୍ମୋଚନ କରିଥିଲେ।

ସେ କହିଥିଲେ, ଓଡ଼ିଶାର ୪୮୦ କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳ ରେଖା ରାଜ୍ୟକୁ ବ୍ଲୁ ଇକୋନୋମି କ୍ଷେତ୍ରରେ ବିଶେଷ ରଣନୈତିକ ସୁବିଧା ପ୍ରଦାନ କରୁଛି। ଏହି ସମ୍ଭାବନାକୁ ପରିବେଶ–ସମନ୍ୱିତ ଓ ସ୍ଥାୟୀ ଉନ୍ନୟନରେ ପରିଣତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ରୋଡମ୍ୟାପ୍ର କେନ୍ଦ୍ରବିନ୍ଦୁ ହେଉଛି ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ରଣନୀତି। ଏହା ଅନୁଯାୟୀ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରକୁ କେନ୍ଦ୍ର କରି ବ୍ଲୁ ଇକୋନୋମି ଆଧାରିତ ଶିଳ୍ପ ହବ୍ ଗଢ଼ିଉଠିବ।
ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଗ୍ରୀନ୍ ସିପିଂ ଓ କୃତ୍ରିମ ବୁଦ୍ଧିମତା ଆଧାରିତ ସାମୁଦ୍ରିକ ପରିଚାଳନା ପରି ଉଦୀୟମାନ କ୍ଷେତ୍ରରେ ନୂତନ ନିବେଶ ଓ ନବସୃଜନକୁ ଏହା ପ୍ରୋତ୍ସାହନ ଦେବ।
ଉଷା ପାଢୀ ଆହୁରି କହିଥିଲେ, ଡିଜିଟାଲ୍ ରୂପାନ୍ତରଣ, ଶିଳ୍ପ ଦକ୍ଷତା ବୃଦ୍ଧି ଓ ଇଜ୍ ଅଫ୍ ଡୁଇଂ ବିଜନେସ୍ ପରି ପଦକ୍ଷେପ ମାଧ୍ୟମରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ନିବେଶକାରୀ ଓ ଷ୍ଟାର୍ଟଅପ୍ମାନଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟରେ ପରିଣତ କରାଯାଉଛି।
ସମାବେଶୀ ବିକାଶକୁ ଗୁରୁତ୍ୱ ଦେଇ ସେ କହିଥିଲେ, ନୀଳ ଅର୍ଥନୀତିର ବିକାଶ ସହିତ ଉପକୂଳ ପରିବେଶ ସୁରକ୍ଷା ଓ ସ୍ଥାନୀୟ ସମୁଦାୟର କଲ୍ୟାଣକୁ ସମାନ ଗୁରୁତ୍ୱ ଦିଆଯାଉଛି।
ସମନ୍ୱିତ ଉପକୂଳ କ୍ଷେତ୍ର ପରିଚାଳନା, ସି–ଉଇଡ୍ ଚାଷ ଓ ପରିବେଶ–ଅନୁକୂଳ ସାମୁଦ୍ରିକ ପର୍ଯ୍ୟଟନ ପରି ପଦକ୍ଷେପଗୁଡ଼ିକୁ ଏହି ରଣନୀତିର ମୁଖ୍ୟ ଅଂଶ ଭାବେ ଚିହ୍ନଟ କରାଯାଇଛି।
ସେ କହିଥିଲେ, ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ସହ ଆଧୁନିକ ନବସୃଜନର ସମନ୍ୱୟ ଭବିଷ୍ୟତରେ ରାଜ୍ୟକୁ ବ୍ଲୁ ଇକୋନୋମି କ୍ଷେତ୍ରରେ ଜାତୀୟ ଓ ବିଶ୍ୱସ୍ତରୀୟ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ କରିବ।

